ସନ୍ଥ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାରପ୍ରାପ୍ତ ବୁଣାକାରଙ୍କୁ ସମ୍ବର୍ଦ୍ଧନା

ବୁଣାକାର ବନ୍ଧୁମାନେ ଆମ ସଂସ୍କୃତିର ବାର୍ତ୍ତାବହ: ମନ୍ତ୍ରୀ

ଭୁବନେଶ୍ୱର, ୨୭/୦୯: ଭୁବନେଶ୍ଵରସ୍ଥିତ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦଠାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଯୋଗ ଦେଇ ଆଜି ୨ ଜଣ ସନ୍ଥ କବୀର ଓ ୩ ଜଣ ଜାତୀୟ ହସ୍ତତନ୍ତ ପୁରସ୍କାରପ୍ରାପ୍ତ ବୁଣାକାରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଇ ଅବସରରେ ସେ କହିଛନ୍ତି, ବୁଣାକାର ବନ୍ଧୁମାନେ ଆମ ସଂସ୍କୃତିର ବାର୍ତ୍ତାବହ । ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାର ସଂରକ୍ଷକ । ଏହି ସମାରୋହରେ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଯୋଗ ଦେଇ କହିଛନ୍ତି, ଜାତୀୟ ସମ୍ମାନରେ ସମ୍ମାନୀତ ହୋଇ ସେମାନେ କେବଳ ରାଜ୍ୟ ପାଇଁ ଗୌରବ ଆଣି ନାହାନ୍ତି, ଉତ୍ତର ପିଢ଼ି ପାଇଁ ପ୍ରେରଣା ସାଜିଛନ୍ତି । ନିରନ୍ତର ନିଷ୍ଠା ଓ ସୃଜନଶୀଳତା ପାଇଁ ପୁରସ୍କୃତ ହୋଇଥିବା ୫ଜଣ ବୁଣାକାରଙ୍କୁ ସେ ବିଭାଗ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।
୨୦୨୩-୨୪ ବର୍ଷ ପାଇଁ ସନ୍ଥ କବୀର ପୁରସ୍କାର ସମ୍ମାନରେ ସମ୍ମାନୀତ ବରଗଡ଼ ଜିଲ୍ଲାର ଶ୍ରୀ ହରିଲାଲ ମେହେର ଓ ଶ୍ରୀ ରାମକଷ୍ଣ ମେହେର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ବିଜେତା ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ରସାନନ୍ଦ ମେହେର, ଶ୍ରୀ ଶ୍ୟାମ ସୁନ୍ଦର ମେହେର ଓ ଶ୍ରୀ ଉତ୍ତମ କୁମାର ମେହେରଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ମାନ୍ୟବର ମନ୍ତ୍ରୀ । ସୂଚନାଯୋଗ୍ୟ, ଓଡ଼ିଶା ହସ୍ତତନ୍ତର ଐତିହ୍ୟ ଓ ସମୃଦ୍ଧ ପରମ୍ପରାର ସଂରକ୍ଷଣ ତଥା ପ୍ରୋତ୍ସାହନରେ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ହସ୍ତତନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏମାନେ ପୁରସ୍କୃତ ହୋଇଥିଲେ । ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଆଧାର କରି ହସ୍ତତନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବୁଣାକାର ଓ ସଂଗଠନମାନଙ୍କୁ ସନ୍ଥକବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ ।
ଏହି ସମାରୋହରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ମଧୁମିତା ରଥ, ହସ୍ତଶିଳ୍ପର ନିର୍ଦ୍ଦେଶିକା ତଥା ବୟନିକାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ, ବୟନଶିଳ୍ପ ଓ ହସ୍ତତନ୍ତର ନିର୍ଦ୍ଦେଶକ ଶ୍ରୀ ଶୋଭନ କୃଷ୍ଣ ସାହୁଙ୍କ, ମାନନୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।