ପରଲୋକରେ ପୂର୍ବତନ ବିଧାୟକ ତଥା ସାଂସଦ ଧନେଶ୍ବର ମାଝୀ

ପୂର୍ବତନ ରାଜ୍ୟସଭା ସାଂସଦ ତଥା ୫ ଥର ବିଧାୟକ ହୋଇଥିବା ଧନେଶ୍ୱର ମାଝୀଙ୍କ ପରଲୋକ ଘଟିଛି।

କେସିଙ୍ଗା ଡାକ୍ତରଖାନାରେ ହୃଦଘାତରେ ପରଲୋକ

ଭୁବନେଶ୍ୱର, ୦୯/୧୦: ପୂର୍ବତନ ରାଜ୍ୟସଭା ସାଂସଦ ତଥା କେସିଙ୍ଗାରୁ ୫ ଥର ବିଧାୟକ ହୋଇଥିବା ଧନେଶ୍ୱର ମାଝୀଙ୍କ ପରଲୋକ ଘଟିଛି। ବୁଧବାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଡାକ୍ତରଖାନାରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

୧୯୪୧ ମସିହା ଜୁଲାଇ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ମାଝୀ ଛାତ୍ର ଜୀବନରୁ ରାଜନୀତି ପ୍ରତି ଆଗ୍ରହ ରଖିଥିଲେ। ସେ ଜନତା ଦଳରେ ଯୋଗ ଦେଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ଶ୍ରୀ ମାଝି ୧୯୭୮ରୁ ୧୯୮୪ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ। ସେହିପରି ୧୯୭୧, ୧୯୭୪, ୨୦୦୦, ୨୦୦୪ ଏବଂ ୨୦୧୪ ମସିହାରେ ନର୍ଲା ଓ କେସିଙ୍ଗା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ଶ୍ରୀ ମାଝୀଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।