ଭୁବନେଶ୍ୱର, ୩୧/୧୦: ବଙ୍ଗୋପସାଗରରେ ପୁଣି ସକ୍ରିୟ ହୋଇଛି ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାହାକୁ ସଂଲଗ୍ନ ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ଅଧିକ ଘନୀଭୂତ ହୋଇ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।
ଦକ୍ଷିଣ ଆଣ୍ଡାମାନ ସାଗରରୁ ସୃଷ୍ଟି ଏହି ଲଘୁଚାପ କ୍ରମାଗତ ଭାବେ ବଙ୍ଗୋପସାଗରର ମଧ୍ୟଭାଗ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଉଛି। ଏହାର ପ୍ରଭାବରେ ନଭେମ୍ବର ୨ ଏବଂ ୩ ତାରିଖରେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଉତ୍ତର-ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଯେପରିକି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।