୧୫୮ତମ ବନ୍ୟା ନିୟନ୍ତ୍ରଣ ଏବଂ ୧୬୨ତମ ଜଳସେଚନ ପ୍ରକଳ୍ପ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ବୈଠକ ଅନୁଷ୍ଠିତ
ବନ୍ୟା ନିୟନ୍ତ୍ରଣ ୩୮ଟି ପ୍ରସ୍ତାବ ଉପରେ ଆଲୋଚନା
ଭୁବନେଶ୍ୱର, ୩୦/୧୦: ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଜଳସେଚନ ଭିତ୍ତିଭୂମିର ବିକାଶ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଦିଗରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବନ୍ୟା ନିୟନ୍ତ୍ରଣ ବୋର୍ଡର ୧୫୮ତମ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ବୈଠକ ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ହୋଇଥିଲା।
ବନ୍ୟା ନିୟନ୍ତ୍ରଣ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ତ୍ୱରିତ ସମୀକ୍ଷା ଓ ଅନୁମୋଦନ ଉପରେ ବିଭାଗର ବର୍ଦ୍ଧିତ ଗୁରୁତ୍ୱକୁ ଏହି ବୈଠକ ପ୍ରତିଫଳିତ କରିଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୭ଟି ବୈଠକ ଅନୁଷ୍ଠିତ ହୋଇସାରିଛି। ଏହି ବୈଠକରେ ରାଜ୍ୟର ବିଭିନ୍ନ ଡ୍ରେନେଜ୍ ଡିଭିଜନ୍ରୁ ଆସିଥିବା ୩୧ଟି ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ଓ ୭ଟି ଜଳ ନିଷ୍କାସନ କାର୍ଯ୍ୟ ସମେତ ମୋଟ ୩୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏହି ପ୍ରସ୍ତାବଗୁଡ଼ିକର ଆନୁମାନିକ ବ୍ୟୟ ଅଟକଳ ୬୫୩.୯୯ କୋଟି ଟଙ୍କା। ଦୁର୍ବଳ ଓ ବନ୍ୟାପ୍ରବଣ ଅଞ୍ଚଳର ସୁରକ୍ଷା, ନଦୀବନ୍ଧ ସୁଦୃଢ଼ୀକରଣ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଜଳସେଚନ ପ୍ରକଳ୍ପ ସମ୍ପର୍କିତ ୧୬୨ତମ ବୈଷୟିକ ପରାମର୍ଶଦାତା କମିଟି ବୈଠକ ମଧ୍ୟ ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୪୭ଟି ପ୍ରସ୍ତାବକୁ କମିଟି ଅନୁମୋଦନ କରିଥିଲା। ଏଥିରେ ମୁଖ୍ୟତଃ ବୃହତ୍ ଇନ୍-ଷ୍ଟ୍ରିମ୍ ଜଳଭଣ୍ଡାର ନିର୍ମାଣ ସଂରଚନା ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସାମିଲ ରହିଛି। ଜଳସେଚନ ଦକ୍ଷତା ବୃଦ୍ଧି, ବର୍ତ୍ତମାନ ଜଳ ବଣ୍ଟନ ବ୍ୟବସ୍ଥାର ଉନ୍ନତି ଏବଂ ଜଳର ସୁଷମ ଉପଯୋଗ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ।