ଭଞ୍ଜନଗର/ଫୁଲବାଣୀ: କନ୍ଧମାଳ-ଗଞ୍ଜାମ ସୀମାନ୍ତରେ ଦେଖିବାକୁ ମିଳିଛି ପ୍ରକୃତିର କୋପ। ବାତ୍ୟା ଓ ପ୍ରବଳ ବର୍ଷା ପ୍ରଭାବରେ ଗାଙ୍ଗୁବାଲି ପାହାଡ଼ରେ ଏକ ବଡ଼ ଭୂସ୍ଖଳନ ଘଟିବା ସହ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତର ଗିଡ଼ୀପାବାଲି ଓ ବାଇବାଲି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଭୂସ୍ଖଳନରେ ଛାରଖାର ହୋଇଯାଇଛି ବାଇବାଲି ଓ ଗିଡ଼ୀପାବାଲି।
ରାତି ଅଧରେ ପ୍ରାୟ ୩ଟା ବେଳେ ଗ୍ରାମବାସୀ ଶୋଇଥିବା ସମୟରେ ପାହାଡ଼ରୁ ମାଟି, ପଥର ଓ କାଦୁଅ ଧସି ଆସି ଗାଁକୁ ଭସାଇ ନେଇଛି। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ବହୁ ଘରଦ୍ୱାର ଭାଙ୍ଗି ଛାରଖାର ହୋଇଯାଇଥିବା ବେଳେ ୧୩ ଜଣ ଗ୍ରାମବାସୀ ନିଖୋଜ ଥିବା ନେଇ ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ, ଗଞ୍ଜାମ ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଛନ୍ତି। ସର୍ଚ୍ଚ ଅପରେସନରେ ସାମିଲ ଅଛନ୍ତି ୧୧୦ ଜଣିଆ ଟିମ୍।
ଅପରପକ୍ଷରେ, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ର ଡଙ୍ଗେସୀ ଗାଁରେ ମଧ୍ୟ ଏକ ଅଭାବନୀୟ ଘଟଣା ଘଟିଛି। ଭୂସ୍ଖଳନ ଯୋଗୁଁ ଘର ଉପରେ ମାଟି ଅସଡ଼ା ଖସିପଡ଼ିବାରୁ ଗୋଟିଏ ପରିବାରର ୯ ମାସର ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି।