ନୂଆଦିଲ୍ଲୀ, ୩୧/୧୦: ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିଛି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ। ଏହି ରିପୋର୍ଟରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଦେଶର ୧୧ଟି ସହର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପକୁ ପ୍ରାଥମିକତା ଦେବା ପାଇଁ ପ୍ରଦୂଷଣର ବିଭିନ୍ନ ଉତ୍ସଗୁଡ଼ିକର ଅବଦାନ ଆକଳନ କରିବା ପାଇଁ ପ୍ରଦୂଷଣର ଉତ୍ସ ବିଭାଜନ ଅଧ୍ୟୟନ (ଏସ୍ଏଏସ୍) ଶେଷ କରିଛନ୍ତି। ଏହି ୧୧ଟି ସହର ହେଉଛି ପାଟନା, ଦିଲ୍ଲୀ, ବଦ୍ଦି, ଧନବାଦ, ଭୋପାଳ, ଗ୍ୱାଲିୟର, ନଭି ମୁମ୍ବାଇ, ମଣ୍ଡି ଗୋବିନ୍ଦଗଡ, ଲୁଧିଆନା, ଗାଜିଆବାଦ ଏବଂ ଲକ୍ଷ୍ନୌ। ୨୦୨୫-୨୬ ସୁଦ୍ଧା ସାମଗ୍ରିକ ଭାବେ ୪୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଦୂଷଣ ହ୍ରାସ କରିବା କିମ୍ବା ଜାତୀୟ ପରିବେଶ ବାୟୁ ଗୁଣବତ୍ତା ମାନକ (ଏନଏଏକ୍ୟୁଏସ୍) ହାସଲ କରିବା ପାଇଁ ଏହି ସହରଗୁଡ଼ିକୁ ଗୁଣବତ୍ତା ସୂଚକାଙ୍କ ପିଏମ୍୧୦ ସ୍ତର ପାଇଁ ବାର୍ଷିକ ବାୟୁ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ପ୍ରଦାନ କରାଯାଇଛି।
ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନସିଏପି) ଅଧୀନରେ ଅନ୍ତର୍ଭୁକ୍ତ ୧୯ଟି ସହର ଏବଂ ବିଭିନ୍ନ ସ୍ତରରେ କମିଟି ଯଥା ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଷ୍ଟିୟରିଂ କମିଟି, ପରିବେଶ ବିଭାଗର ଅତିରିକ୍ତ ବା ପ୍ରମୁଖ ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ବାୟୁ ଗୁଣବତ୍ତା ମନିଟରିଂ କମିଟି ଏବଂ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲିଟି କମିସନରଙ୍କ ଅଧୀନରେ ଜିଲ୍ଲା/ସହରସ୍ତରୀୟ ମନିଟରିଂ ଏବଂ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି।
ଏହି ୧୯ଟି ସହର ପାଇଁ ୨୦୧୯-୨୦ରୁ ୨୦୨୩-୨୪ ପର୍ଯ୍ୟନ୍ତ ଏନସିଏପି ଅଧୀନରେ ୧୭୦୧.୫୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୧୫୦୦.୫୮ କୋଟି ଟଙ୍କା ଏହି ସହରଗୁଡ଼ିକ ବ୍ୟବହାର କରିଥିବା ଜଣାଯାଇଛି। ଏହାବ୍ୟତୀତ ବାୟୁ ପ୍ରଦୂଷଣ ହ୍ରାସ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ କାର୍ଯ୍ୟକାରୀ କରିବା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୬୦୦.୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୧୭-୧୮ ତୁଳନାରେ ୨୦୨୩-୨୪ରେ ୧୯ଟି ସହରମଧ୍ୟରୁ ୧୭ଟି ସହରର ବାୟୁ ଗୁଣବତ୍ତାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।