ରୁଷିଆ ନାଗରିକଙ୍କ ପାଇଁ ଏକ ମାଗଣା ୩୦ ଦିନିଆ ଇ-ଟୁରିଷ୍ଟ ଭିସା କରିବ ଭାରତ
ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍ଙ୍କ ମିଳିତ ପ୍ରେସ୍ ବିବୃତି
ଆସନ୍ତା ବର୍ଷ BRICSର ଅଧ୍ୟକ୍ଷତା ଗ୍ରହଣ କରିବ ଭାରତ
ନୂଆଦିଲ୍ଲୀ, ୦୫/୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ରୁଷ ଓ ଭାରତର ଶିଖର ସମ୍ମୀଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ ପ୍ରସଙ୍ଗରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍ ମିଳିତ ପ୍ରେସ୍ ବିବୃତି ରଖିଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ MOU ନେଇ ସୂଚନା ଦେଇଛନ୍ତି। ୨୩ତମ ଶିଖର ସମ୍ମିଳନୀ ନେଇ ପ୍ରଧାନମନ୍ତ୍ରୀ ମୋଦି ଭାରତ ପ୍ରତି ପୁଟିନଙ୍କ ମିତ୍ରତା ନେଇ ଶୁଭେଚ୍ଛା ଜଣାଇଲେ। ମୋଦି କହିଛନ୍ତି, “୨୫ ବର୍ଷ ତଳେ ଷ୍ଟ୍ରାଟେଜିକ ପାର୍ଟନର ପୁଟିନ୍ ଆରମ୍ଭ କରିଥିଲେ। ଭାରତ-ରୁଷିଆ ସମ୍ପର୍କ ଧ୍ରୁବ ତାରା ସଦୃଶ। ସବୁ ପରିସ୍ଥିତିରେ ତାଙ୍କର ନେତୃତ୍ୱ ଆମର ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଛି। ଗଭୀର ବନ୍ଧୁତ୍ୱ ଓ ଭାରତ ପ୍ରତି ଅବିଚଳ ପ୍ରତିବଦ୍ଧତା ପାଇଁ କୃତଜ୍ଞତା।
“ଆର୍ଥିକ ସହଭାଗିତା ନେଇ ସହମତି ହୋଇଛି। ୨୦୩୦ ପର୍ଯ୍ୟନ୍ତ ଇକୋନ୍ମିକ୍ କୋପରେସନ୍ ପାର୍ଟନର ନେଇ ସହମତି। ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରହିବ। ୟୁକ୍ରେନକୁ ନେଇ ଆମର ଶାନ୍ତି ଉଦ୍ୟମ ପୂର୍ବପରି ଜାରି ରହିବ। କାଲମିକିଆ ବୌଦ୍ଧ ସମ୍ମିଳନୀରେ ଲକ୍ଷାଧିକ ଭକ୍ତ ଆଶୀର୍ବାଦ ନେଇଥିଲେ। ଭଗବାନ ବୁଦ୍ଧଙ୍କ ପବିତ୍ର ଆଶୀର୍ବାଦ ଲାଭ କରିଥିଲେ ଭକ୍ତ। ରୁଷିଆ ନାଗରିକଙ୍କ ପାଇଁ ଏକ ମାଗଣା ୩୦ ଦିନିଆ ଇ-ଟୁରିଷ୍ଟ ଭିସା କରିବୁ। ୩୦ ଦିନିଆ ଗ୍ରୁପ୍ ଟୁରିଷ୍ଟ ଭିସା ଆରମ୍ଭ କରିବାକୁ ଯାଉଛୁ। ୟୁରେସିଆନ ଅର୍ଥନୈତିକ ସଂଘ ସହିତ FTA ସମାପ୍ତ ପାଇଁ କାର୍ଯ୍ୟ କରୁଛୁ। ଆମର ବନ୍ଧୁତା ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ଶକ୍ତି ଦେବ। ଏହି ବିଶ୍ୱାସ ଆମର ସାଧାରଣ ଭବିଷ୍ୟତକୁ ଆହୁରି ସମୃଦ୍ଧ କରିବ”.
ଆତିଥ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ପୁଟିନ କହିଛନ୍ତି, “ଭାରତୀୟ ଅର୍ଥନୀତି ପାଇଁ ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ଜାରି ରଖିବୁ। ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଉଭୟ ଦେଶ। ବାଣିଜ୍ୟିକ ନେଣଦେଶ ବର୍ତ୍ତମାନ ପ୍ରାୟ ୯୬ ପ୍ରତିଶତ ହୋଇସାରିଛି। ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ୧୨% ବୃଦ୍ଧି ପାଇ ନୂଆ ରେକର୍ଡ କରିଛି। ବିଭିନ୍ନ ତଥ୍ୟ ଅନୁସାରେ ଏହି ସଂଖ୍ୟା ଅଳ୍ପ ଅଧିକ କମ୍ ଦେଖାଯାଇପାରେ। କିନ୍ତୁ ସାଧାରଣରେ ଏହା ପ୍ରାୟ ୬୪ ବିଲିୟନ ଆମେରିକୀୟ ଡଲାର। ଚଳିତ ବର୍ଷର ଫଳାଫଳ ମଧ୍ୟ ଏହି ସ୍ତରରେ ରହିବା ନେଇ ଆଶାବାଦୀ। ବୁଝାମଣାରେ ଆମେ ୧୦୦ ବିଲିୟନ ଡଲାରର ଲକ୍ଷ୍ୟ ଛୁଇଁବାକୁ ସମର୍ଥ। ପ୍ରଧାନମନ୍ତ୍ରୀ ମୋଦି ଆମକୁ ଏକ ଲମ୍ବା ତାଲିକା ଦେଇଛନ୍ତି।
“ଆମର ସରକାରଙ୍କ ସର୍ବାଧିକ ଧ୍ୟାନ ଦେଉଛି, କରିବୁ ମଧ୍ୟ। ଭାରତର ସବୁଠାରୁ ବଡ଼ ପରମାଣୁ କେନ୍ଦ୍ର ନିର୍ମାଣ ଉପରେ କାମ କରୁଛୁ। ୬ଟି ରିଆକ୍ଟର୍ରୁ ୩ଟି ପୂର୍ବରୁ ବିଦ୍ୟୁତ୍ ଗ୍ରିଡ୍ ସହିତ ସଂଯୋଗ ହୋଇସାରିଛି। ନୂଆ ଅନ୍ତର୍ଜାତୀୟ ପରିବହନ ମାର୍ଗ ଗଢ଼ିବା ଉପରେ କାମ କରୁଛୁ। ଭାରତ ମହାସାଗର ଉପକୂଳ ପର୍ଯ୍ୟନ୍ତ ନର୍ଥ୍-ସାଉଥ୍ ପରିବହନ କରିଡର ଲକ୍ଷ୍ୟ ରଖିଛୁ।”
“୨ ଦେଶ ମିଶି ସ୍ୱାଧୀନ ଓ ଆତ୍ମନିର୍ଭରଶୀଳ ବୈଦେଶିକ ନୀତି ପାଳନ କରୁଛୁ। ସମାନ ଚିନ୍ତାଧାରା ଥିବା ଦେଶମାନଙ୍କ ସହିତ ଏହି ନୀତି ଆଗେଇ ନେଇଯାଉଛୁ। ଜାତିସଂଘରେ ଲିପିବଦ୍ଧ ଅନ୍ତର୍ଜାତୀୟ ଆଇନର ମୌଳିକ ନୀତିକୁ ସୁରକ୍ଷା ଦେଉଛୁ। BRICSର ପ୍ରତିଷ୍ଠାତା ଦେଶ ଭାବେ ସଂଗଠନର ପ୍ରତିପତ୍ତି କାମ କରୁଛୁ। ଆସନ୍ତା ବର୍ଷ ଭାରତ BRICSର ଅଧ୍ୟକ୍ଷତା ଗ୍ରହଣ କରିବ। ଭାରତୀୟ ବନ୍ଧୁମାନଙ୍କୁ ସବୁ ପ୍ରକାରର ଆବଶ୍ୟକ ସହଯୋଗ ଦେବୁ। ଭାରତୀୟ ସୈନ୍ୟବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ୫୦ ବର୍ଷ ହେଲା ଚାଲିଛି। ରୁଷିଆ-ଭାରତ ଭାଗିଦାରୀ ଆହୁରି ମଜଭୁତ ହେବ।”