ଭୁବନେଶ୍ବର, ୦୮/୧୧: ସରକାରୀ ହାଇସ୍କୁଲ ଓ କର୍ମଚାରୀଙ୍କୁ ଜମି କିଣିବା ପାଇଁ ମିଳିବ ଅଗ୍ରୀମ ଟଙ୍କା। ଏଥିପାଇଁ ତିନୋଟି କାଟେଗୋରୀରେ ବିଭକ୍ତ କରାଯାଇଛି। ଜମି କିଣିବା, ପୁରୁଣା ଜମିରେ ନୂଆ ଗୃହ ନିର୍ମାଣ ଓ ନିର୍ମିତ ଗୃହ କ୍ରୟ କରିବା ପାଇଁ ଅଗ୍ରୀମ ଅର୍ଥ ଯୋଗାଇବେ ରାଜ୍ୟ ସରକାର। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏଥିପାଇଁ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବେ ଆବେଦନକାରୀ।
ଆବେଦନକାରୀଙ୍କୁ ନୂଆ ଜମି କ୍ରୟ ପାଇଁ ଜମିର ମୂଲ୍ୟ ଓ ବିକ୍ରେତାଙ୍କ ସହିତ ଏଗ୍ରିମେଣ୍ଟ ଦାଖଲ କରିବାକୁ ପଡ଼ିବ। ସେହିପରି ପୁରୁଣା ଜମିରେ ଗୃହ ନିର୍ମାଣ ପାଇଁ ଘରବାରୀ ଜମିର ମାଲିକାନା ସ୍ୱତ୍ତ୍ଵ ଓ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଓ ବିଡିଓ କିମ୍ବା ହାଉସିଂ ବୋର୍ଡ଼ର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ପକ୍ଷରୁ ବିସ୍ତୃତ ଅଟକଳ ଦାଖଲ କରିବାକୁ ପଡ଼ିବ। ଏହା ସହ ଯେଉଁ ଅଞ୍ଚଳରେ ଗୃହ ନିର୍ମାଣ କରିବେ, ସେହି ଅଞ୍ଚଳର ଅଧିକାରୀଙ୍କ ଠାରୁ ହାଉସ ପ୍ଲାନ ଅନୁମୋଦନ ଆଣି ଦାଖଲ କରିବାକୁ ପଡ଼ିବ।