ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଜଣେ ଦକ୍ଷ ସଂଗଠକ ଭାବେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ ବିଜୟ ମହାନ୍ତି
ଭୁବନେଶ୍ୱର, ୨୨/୧୨: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ଵର୍ଗତ ମହାନ୍ତି ଜଣେ ଦକ୍ଷ ସଂଗଠକ,ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ। ୨୦୦୯ ଏବଂ ୨୦୧୪ରେ କ୍ରମାଗତ ଭାବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ସେ ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଛନ୍ତି। ଛାତ୍ର ରାଜନୀତିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ଭୁବନେଶ୍ୱର ଯୁବ ବର୍ଗଙ୍କ ପାଖରେ ବାଦଲ ଭାଇ ଭାବେ ସେ ସୁପରିଚିତ ଥିଲେ। ସମାଜର ଗରିବ ଓ ଅବହେଳିତଙ୍କ କଲ୍ୟାଣ ସାଧନକୁ ସେ ସର୍ବଦା ପ୍ରାଧାନ୍ୟ ଦେଉଥିଲେ।
ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।