୩ ଜିଲ୍ଲାରେ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଚାଷ କ୍ଷୟକ୍ଷତି ଆବେଦନ ଅବଧି ଦିନକ ପାଇଁ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, ୨୯/୧୨: ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଥିବା ୩ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ଚାଷୀଙ୍କ ଦୁଃଖ ଶୁଣିବା ସହ କ୍ଷତିଗ୍ରସ୍ତ ଚାଷୀକୂଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଥମେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର କାଣ୍ଡପଡା ଓ ମଝିଆଖଣ୍ଡ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଗଜପତିର ଘୋଷାଣୀ ବ୍ଲକ ଓ ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ ଯାଇ ସ୍ଥିତି ପରଖିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଧାନ ବିଲ ବୁଲି ଚାଷୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ଏ ନେଇ ସହାୟତା ପାଇବା ପାଇଁ ଅନଲାଇନ ଯୋଗେ ପଞ୍ଜିକରଣ କରିବା ପାଇଁ କହିଥିଲେ ମୁଖ୍ୟମନ୍ତ୍ରୀ। ଏଥି ସହ କ୍ଷୟକ୍ଷତି ଆକଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୁରମା ପାଢ଼ୀ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ସାମିଲ ଥିଲେ।

ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ, ଅଦିନିଆ ବର୍ଷା ପାଇଁ ଚାଷ କ୍ଷୟକ୍ଷତି ଆବେଦନକୁ ଦିନକ ପାଇଁ ବୃଦ୍ଧି କରାଯାଇଛି। ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଚାଷୀମାନେ କ୍ଷୟକ୍ଷତି ବାବଦରେ କୃଷି ବିଭାଗ, ବ୍ଲକ ଓ ତହସିଲ ଯାଇ ଅବଗତ କରାଇବେ ଓ ସେଠାରେ ବୀମା ଦାବି କରିବେ। ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛି। ଚାଷୀଙ୍କ ସହ ସରକାର ଅଛନ୍ତି। କ୍ଷତି ଆକଳନ ହେବ ଓ ସଠିକ୍ ଆକଳନ ପରେ କ୍ଷତିପୂରଣ ପ୍ରଦାନ କରାଯିବ। ସରଜମିନ ତଦନ୍ତ ପାଇଁ ବିଭିନ୍ନ ମନ୍ତ୍ରୀଙ୍କୁ ଫିଲ୍ଡକୁ ପଠାଯାଇଛି। ବୀମାଭୁକ୍ତ ହୋଇ ନଥିବା ଚାଷୀ କିପରି ସହାୟତା ପାଇବେ, ସେ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ସେହିପରି ଭାଗଚାଷୀଙ୍କୁ ସହାୟତା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି।