କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ବାତିଲ୍

ଛତିଶଗଡ଼ ପୋଲିସ ପାଖରେ ଅଟକ ବିଶାଳ ଦାସ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଜେଡ଼ି କର୍ମୀ

ଭୁବନେଶ୍ୱର, ୧୦/୦୧: ଆଜି ଝାରସୁଗୁଡ଼ାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣ ପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବାର ଥିଲା। ଏଥିପାଇଁ ଦିନ ୧୦ଟା ୩୦ ପୂର୍ବରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର ଓ ପୁଲିସ। ସେଠାରେ ୧୧ଟା ଯାଏଁ ଅପେକ୍ଷା କଲା ପରେ‌ ବି ଭୋଟିଂ ପାଇଁ କେହି ଯାଇନଥିଲେ। ଯାହାଫଳରେ ଅଧିକାରୀମାନେ ଫେରି ଆସିବା ସହ ଭୋଟିଂକୁ ବାତିଲ କରିଥିଲେ।

ହେଲେ ଏହା ପୂର୍ବରୁ ଝାରସୁଗୁଡା ରାଜନୀତି ନେଇଛି ନୂଆ ମୋଡ଼। ପୂର୍ବତନ ମନ୍ତ୍ରୀ ତଥା ଝାରସୁଗୁଡ଼ାର ୩ ଥର ବିଧାୟକ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ସମେତ କିର୍ମିରା ବ୍ଲକର କିଛି ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ। ଯାହାର ଏକ ଭିଡ଼ିଓ ଗଣମାଧ୍ୟମ ସାମନାକୁ ଆସିଛି। ସେପଟେ ଦିପାଳୀ ଦାସ ଅଭିଯୋଗ କରିଛନ୍ତି ଯେ, ରାଜନୈତିକ ଚାପରେ ପୁଲିସ କାର୍ଯ୍ୟ କରୁଛି। ଅପରାହ୍ନ ସୁଦ୍ଧା ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟିଂ ଶେଷ ହେବ। ମୋହନ ମାଝୀ ସରକାର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଏତେ ଭୟ କରୁଛନ୍ତି ଯେ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ବେଆଇନ ଭାବେ ଅଟକ ରଖିଛନ୍ତି। ଆମର ଓକିଲମାନଙ୍କୁ ମଧ୍ୟ ସେମାନଙ୍କ ପାଖରେ ପ୍ରବେଶ କରିବାକୁ ମନା କରାଯାଇଥିଲା। ଯଦି ମୋ ଭାଇକୁ କିଛି ହୁଏ ତେବେ ଓଡ଼ିଶା ଓ ଛତିଶଗଡ଼ ସରକାର ଏବଂ ଝାରସୁଗୁଡ଼ା ଏସପି ଦାୟୀ ରହିବେ ବୋଲି ସେ କହିଛନ୍ତି। ତେବେ ଛତିଶଗଡ଼ ପୋଲିସ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଘଟଣାରେ ଦିପାଳୀ ଦାସଙ୍କ ସମର୍ଥକଙ୍କ ସହ ବିଜେଡ଼ି କର୍ମୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।