ବିଶାଳଙ୍କ ବିରୋଧରେ ମାମଲା ରୁଜୁ
ବିଶାଳଙ୍କ ବିରୋଧରେ ବିଏନଏସ ଧାରା ୩୩୧/୦୪, ୧୯୧/୦୨ ରେ ମାମଲା ରୁଜୁ କରିଥିଲା ସରେଇପାଲି ପୋଲିସ।
ନୋଟିସ ଦେଇ ଥାନାରୁ ଛାଡ଼ିଲା ଛତିଶଗଡ଼ ପୋଲିସ
ଭୁବନେଶ୍ୱର, ୧୦/୦୧: ଗତ କାଲିଠାରୁ ଛତିଶଗଡ଼ର ସରେଇପାଲି ପୋଲିସ ଷ୍ଟେସନରେ ଅଟକ ଥିବା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକର ଅନ୍ୟ ୧୨ ଜଣ ପିଆରଆଇ ସଦସ୍ୟଙ୍କ ବିରୋଧରେ ଛତିଶଗଡ଼ ପୁଲିସ ମାମଲା ରୁଜୁ କରି ନୋଟିସ ଦେଇ ଥାନାରୁ ଛାଡ଼ିଲା ଛତିଶଗଡ଼ ପୋଲିସ। ବିଏନଏସ ଧାରା ୩୩୧/୦୪, ୧୯୧/୦୨ ରେ ମାମଲା ରୁଜୁ କରିଥିଲା ପୋଲିସ।
ବିଶାଳ ଦାସଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ସରେଇପାଲି ଅଞ୍ଚଳର ଏକ ହୋଟେଲ ରାଧିକା ଇନର ମ୍ୟାନେଜର ପ୍ରବୀଣ ଭୋଇ। ସେ ଅଭିଯୋଗ କରିଛନ୍ତି ଯେ, ଗତକାଲି ବିଶାଳ ଦାସଙ୍କ ସମେତ ଅନ୍ୟମାନେ ହୋଟେଲ ଭଡ଼ା ବାବଦକୁ ୮୦୦୦ ଟଙ୍କା ପୈଠ କରିଥିଲେ ମଧ୍ୟ ବିନା ପରିଚୟପତ୍ରରେ ଜବରଦସ୍ତି ତାଙ୍କ ହୋଟେଲ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରି ଶଟର ତାଡି ଦେଇଥିଲେ। କିନ୍ତୁ ସେଠାରେ ରହିବା ପାଇଁ ହୋଟେଲ ମ୍ୟାନେଜର ତାଙ୍କୁ ମନା କରି ଦେଇଥିଲେ। ଏପରି ହୋଟେଲରେ ଭଙ୍ଗାରୁଜା କରିବା ଘଟଣା ଜଣାପଡିବା ପରେ ସରେଇପାଲି ପୋଲିସ ସେମାନଙ୍କୁ ଗତ କାଲି ରାତି ୨ଟାରୁ ଅଟକ ରଖିଥିଲା। ସେହିପରି ଛତିଶଗଡ଼ର ୩ଟି ଭିନ୍ନ ଭିନ୍ନ ଥାନାରେ ୧୨ ଜଣଙ୍କୁ ରଖାଯାଇଥିଲା। ତେବେ ଆଜି ଅପରାହ୍ନରେ ସେମାନଙ୍କୁ ନୋଟିସ ଦେଇ ଛାଡି ଦେଇଛି ପୋଲିସ।
ସୂଚନାଯୋଗ୍ୟ, ନିକଟରେ ବିଜେପି ଓ ବିଜେଡି ସମିତି ସଭ୍ୟଙ୍କ ମଧ୍ୟରେ ମତଭେଦ ହେବା ପରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଆଜି ମତଦାନ ହେବାର ଥିଲା। ଏ ନେଇ ସକାଳ ୧୦ଟା ୩୦ ସୁଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର ଓ ପୁଲିସ। ହେଲେ ୧୧ଟା ସୁଦ୍ଧା ସେଠାରେ କେହି ପହଞ୍ଚି ନଥିବାରୁ ଭୋଟିଂ ବାତିଲ ହୋଇଥିଲା।