୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ।

୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ପ୍ରବାସୀଙ୍କ ଯୋଗଦାନ ଜରୁରୀ: ରାଷ୍ଟ୍ରପତିଙ୍କ ସମ୍ବୋଧନ

ଭୁବନେଶ୍ୱର, ୧୦/୦୧: ଆଜି ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଦିବସରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ବିଦେଶରେ ଉଲ୍ଲେଖନୀୟ କାର୍ଯ୍ୟ କରି ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି। ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ।

ପ୍ରବାସୀଙ୍କ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଆମ ଦେଶର ଶ୍ରେଷ୍ଠ ପ୍ରତିନିଧିତ୍ୱ କରି ଆମ ଦେଶର ଟେକ ରଖୁଛନ୍ତି। ସେମାନେ କେବଳ ଏହି ପବିତ୍ର ଭୂମି ଭାରତରେ ଅର୍ଜିତ ଜ୍ଞାନ ଏବଂ ଦକ୍ଷତାକୁ ବହନ କରିନାହାଁନ୍ତି, ବରଂ ହଜାର ହଜାର ବର୍ଷ ଧରି ଆମ ସଭ୍ୟତାର ମୂଳଦୁଆ ହୋଇ ଆସୁଥିବା ମୂଲ୍ୟବୋଧକୁ ମଧ୍ୟ ନିଜ ସହିତ ବହନ କରିଛନ୍ତି। ବୈଷୟିକ ଜ୍ଞାନକୌଶଳ, ଔଷଧ, କଳା ଏବଂ ଉଦ୍ୟୋଗ କ୍ଷେତ୍ରରେ ସବୁଠି ଭାରତୀୟ ପ୍ରବାସୀମାନେ ଏକ ପରିଚୟ ସୃଷ୍ଟି କରିଛନ୍ତି। ଭାରତୀୟଙ୍କ ଜ୍ଞାନକୁ ଆଜି ବିଶ୍ୱ ଆପଣାଉଛି।

ଏହା ସହ ରାଷ୍ଟ୍ରପତି ସମସ୍ତ ପ୍ରବାସୀ ଭାରତୀୟ ସମ୍ମାନ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ପ୍ରବାସୀଙ୍କ ସଫଳତାର କାହାଣୀ କେବଳ ଭାରତବାସୀ ଗର୍ବିତ ନୁହଁନ୍ତି, ବରଂ ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି। ଆମ ଦେଶ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଆଡକୁ ଅଗ୍ରସର ହେଉଛି। ଏହା ହାସଲ କରିବାରେ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଯୋଗଦାନ ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଥିଲେ।