ସାନଖେମୁଣ୍ଡି ବ୍ଲକ କାର୍ଯ୍ୟଳୟକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ

ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ।

ଦୃଢ଼ ନିନ୍ଦା କଲା ବ୍ରହ୍ମପୁର ପ୍ରେସ କ୍ଲବ

ଗଞ୍ଜାମ, ୨୧/୦୧: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ମନା ନେଇ ଏକ ପୋଷ୍ଟର ଗତକାଲି କାର୍ଯ୍ୟାଳୟରେ ବିଭିନ୍ନ ସ୍ଥାନରେ ଲଗାଯାଇଛି। ଯାହାକୁ ନେଇ ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି। ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି ବ୍ରହ୍ମପୁର ପ୍ରେସ କ୍ଲବ। ଆଜି କ୍ଲବ ପକ୍ଷରୁ ସମସ୍ତ ବ୍ରହ୍ମପୁର ସାମ୍ବାଦିକ ଏକତ୍ରିତ ହୋଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତୁରନ୍ତ ଉକ୍ତ ପୋଷ୍ଟରକୁ ସାନଖେମୁଣ୍ଡି ବ୍ଲକ ପରିସରରୁ ହଟାଇବାକୁ ଦାବି କରି ଏକ ଦାବି ପତ୍ର ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଜଣେ ଗଣମାଧ୍ୟମର କାର୍ଯ୍ୟରେ ରୋକ ଲଗାଉଛନ୍ତି ବିଡ଼ିଓ। ବ୍ଲକ କାର୍ଯ୍ୟାଳୟରେ ଲୋକେ କିଭଳି ସୁବିଧା ପାଉଛନ୍ତି ଓ କଣ ସବୁ ଅସୁବିଧା ରହୁଛି ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବା ନିମନ୍ତେ ଗଣମାଧ୍ୟମ କାମ କରୁଥିବା ବେଳେ ବିଡ଼ିଓ ନିଜର ଦୋଷ ଲୁଚାଇବାକୁ ଏଭଳି ପୋଷ୍ଟର ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାମ୍ବାଦିକ ମାନେ। ତୁରନ୍ତ ପୋଷ୍ଟର ହଟାଇ ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସାମ୍ବାଦିକମାନେ ଦାବି କରିଛନ୍ତି।