ଫେବ୍ରୁଆରୀ ୧୩ରୁ ବିଧାନସଭାର ବଜେଟ୍ ଅଧିବେଶନ

ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ।

୧୭ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧/୦୧: ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ। ଫେବ୍ରୁଆରୀ ୧୩ରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ବଜେଟ୍‌ ଅଧିବେଶନ ଚାଲିବ। ଫେବ୍ରୁଆରୀ ୧୭ରେ ୨୦୨୫-୨୦୨୬ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଫେବ୍ରୁଆରୀ ୨୦ ଓ ୨୧ ତାରିଖରେ ବିଧାନସଭାରେ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ। ଏହା ପରେ ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ। ପୁଣି ମାର୍ଚ୍ଚ ୭ରୁ ଏପ୍ରିଲ ୫ଯାଏ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ। ମାର୍ଚ୍ଚ ୨୯ ତାରିଖରେ ବିନିଯୋଗ ବିଲ୍ ଉପସ୍ଥାପନ କରାଯିବ। ଚଳିତ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ରହିବ। ଏ ନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।