ସୁଭଦ୍ରା ଟଙ୍କା ପାଇ ନାହାନ୍ତି?

ରାଜ୍ୟ ସରକାରଙ୍କ ୪ ପରାମର୍ଶ ମାନନ୍ତୁ ଓ ସୁଭଦ୍ରା ସହ ଯୋଡ଼ି ହୁଅନ୍ତୁ

ଭୁବନେଶ୍ୱର, ୧୦/୦୨: ରାଜ୍ୟ ସରକାରଙ୍କ ଫ୍ଲାଗସିପ ଯୋଜନା ‘ସୁଭଦ୍ରା’ରେ ସାମିଲ ହେବା ପାଇଁ ବହୁ ଯୋଗ୍ୟ ମହିଳା ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୯୮ ଲକ୍ଷ ଯୋଗ୍ୟ ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ସହାୟତା ପାଇ ସାରିଛନ୍ତି। ପ୍ରଥମ କିସ୍ତିର ଚାରୋଟି ପର୍ଯ୍ୟାୟରେ ୫୦୦୦ ଟଙ୍କା ଲେଖାଏଁ ମହିଳାଙ୍କୁ ସହାୟତା ରାଶି ମିଳିଛି। ହେଲେ, ଅନେକ ଯୋଗ୍ୟ ମହିଳା ଏବେ ବି ଏହି ସୁବିଧାରୁ ବଞ୍ଚିତ ଅଛନ୍ତି। ଯାହା ଫଳରେ ଯୋଗ୍ୟ ମହିଳା ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଯେଉଁମାନେ ସୁଭଦ୍ରାରେ ଅନ୍ତର୍ଭୂକ୍ତ ହୋଇ ପାରିନାହାନ୍ତି ସେମାନଙ୍କୁ ଆଜି ରାଜ୍ୟ ସରକାର ଚାରୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ନଜର ପକାଇବାକୁ ଅନୁରୋଧ କରିଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ‌ ବିବୃତି ଜାରି କରାଯାଇଛି।

୪ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଲା:-

-ହିତାଧିକାରୀଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ।

-ଏହି ସିଙ୍ଗଲହୋଲ୍ଡର ବ୍ୟାଙ୍କ ଆକାଉଣ୍ଟଟି ତାଙ୍କ ଆଧାର ନମ୍ବର ସହ ଲିଙ୍କ ହୋଇଥିବା ଆବଶ୍ୟକ।

-ବ୍ୟାଙ୍କ ଆକାଉଣ୍ଟ ଡିବିଟି ସକ୍ଷମ ହେବା ଆବଶ୍ୟକ।

-ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ନିଜର ବାୟୋମେଟ୍ରିକ୍ ପଦ୍ଧତି ମାଧ୍ୟମରେ ଇ-କେୱାଇସି ଅପଡେଟ୍ କରିବା ଆବଶ୍ୟକ।

ଆବେଦନକାରୀମାନେ ଜାଣି ରଖିବା ଉଚିତ ଯେ ପ୍ରଥମ ତିନୋଟି କାର୍ଯ୍ୟ ବ୍ୟାଙ୍କରେ ହେବ ଏବଂ ଚତୁର୍ଥ କାର୍ଯ୍ୟ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ କରାଯିବ। ତେଣୁ ସେମାନେ ଉପରୋକ୍ତ ସମସ୍ତ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ବ୍ୟାଙ୍କ ଏବଂ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରକୁ ଯାଆନ୍ତୁ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ କହିଛି।

ସୂଚନାଯୋଗ୍ୟ, ଗତ ଶନିବାର ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଲାଭ ମିଳିଥିବା ବେଳେ ଏଯାଏଁ ୯୮ ଲକ୍ଷ ମହିଳା ଏହି ଯୋଜନାରେ ଯୋଡ଼ି ହେଲେଣି। ଆଗାମୀ ଦିନରେ ସୁଭଦ୍ରା ହିତାଧିକାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ମାର୍ଚ୍ଚ ୮ ତାରିଖରେ ପ୍ରଥମ କିସ୍ତି ଏବଂ ମାର୍ଚ୍ଚ ୮ ତାରିଖରେ ଦ୍ବିତୀୟ କିସ୍ତି ବଣ୍ଟନ କରାଯିବ।