କଲେକ୍ସନ ପାଇଁ ଏଜେଣ୍ଟ ରଖିଛନ୍ତି ଯୋଗାଣ ମନ୍ତ୍ରୀ: ତାରା

ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ।

ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର, ୧୫/୦୨: ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ। ଆରମ୍ଭରୁ ହିଁ ଚାଷୀଙ୍କ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ। ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ବିଜେଡ଼ି ଓ କଂଗ୍ରେସ। ଧାନ କ୍ରୟ ବେଳେ କଟନୀଛଟନୀ ହେଉଥିବା ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ କରିବା ପାଇଁ ଦାବି କରିଥିଲେ ବିରୋଧୀ ଦଳ। ଗୃହ ପରିଚାଳନରେ ଅଚଳାବସ୍ଥା ଦେଖାଦେବାରୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ।

ତେବେ ଏହାରି ଭିତରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କାଲି ବିଜୁ ଜନତା ଦଳ ମୁଲତବୀ ପ୍ରସ୍ତାବ ଆଣିବାରୁ ଚାଷୀ ପ୍ରସଙ୍ଗରେ ଆଲୋଚନା ହୋଇ ପାରିନଥିଲା। କିନ୍ତୁ ଆଜି ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଥିଲୁ। ମନ୍ତ୍ରୀ ପୂର୍ବରୁ ଧାନ କ୍ରୟରେ କଟନୀଛଟନୀ ହେବ ନାହିଁ ବୋଲି କହିଥିଲେ। କିନ୍ତୁ ମିଲର୍ସ ମାନଙ୍କ ପାଖରେ ଏଜେଣ୍ଟ ରଖି କଲେକ୍ସନରେ ମାତିଛନ୍ତି ଯୋଗାଣ ମନ୍ତ୍ରୀ। ବିଭିନ୍ନ ସ୍ଥାନରେ ଥିବା ମନ୍ତ୍ରୀଙ୍କ ଏଜେଣ୍ଟମାନଙ୍କ ସିଧାସଳଖ ତ୍ରିପାଠୀ ଓ ଶଙ୍କର ଭଳି ନାଁ ନେଇଛନ୍ତି। ସେମାନେ ମିଲର୍ସ ଓ ଚାଉଳ ଗୋଦାମ ମାଲିକଙ୍କ ଠାରୁ କଲେକ୍ସନ କରୁଛନ୍ତି।

ତାରାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ତାରା ବାହିନୀପତି ସଦାବେଳେ ହାଲକା ମନ୍ତବ୍ୟ ଦିଅନ୍ତି। ସେ କେତେବେଳେ କାହାକୁ କ’ଣ କୁହନ୍ତି ତାହା ଜାଣି ପାରନ୍ତିନି। ବିରୋଧୀ ଦଳ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ଆମ ସରକାର ଅତି ଶୁଦ୍ଧତା ଓ ପବିତ୍ରତାର ସହିତ କାମ କରୁଛି। ୮ ମାସ ହୋଇଗଲା ଏପର୍ଯ୍ୟନ୍ତ କୈାଣସି ଅଭିଯୋଗ ଆସିନାହିଁ।

ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଓ ଇନପୁଟ ସହାୟତା ପାଇଁ ୮୦୦ ଟଙ୍କା ଦେଲୁ।‌ ଲୋକମାନେ ଯେତେବେଳେ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି, ସେତେବେଳେ ସେମାନେ କୁମ୍ଭୀର କାନ୍ଦଣା କରୁଛନ୍ତି। ଆମେ ପ୍ରସ୍ତୁତ ଅଛୁ। ଆଲୋଚନା ପାଇଁ ଆସନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।