କଟକ, ୨୩/୦୨: ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ସଭାପତି ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ପଙ୍କଜ ଲୋଚନ ମହାନ୍ତି। ସେ ଆଜି ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ କହିଛନ୍ତି, ରାଜ୍ୟ ସରକାରଙ୍କ ସହ ମିଶି ଷ୍ଟାଡିୟମ ମରାମତି କାର୍ଯ୍ୟକୁ ୭ରୁ ୮ ମାସ ମଧ୍ୟରେ ସାରିବା କରିବା ପାଇଁ ଚେଷ୍ଟା କରିବି। ଆଗାମୀ ଦିନରେ ପୁରୀରେ ଏକ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବ। ସେଠାରେ ଖେଳାଳିଙ୍କୁ ବର୍ଷକ ଯାକ ପ୍ରଶିକ୍ଷଣ ଦିଆଯିବ। ଖେଳାଳିମାନେ ନିଜ ଏକାଡେମୀରେ ପ୍ରଶିକ୍ଷଣ ନେଲେ କିଛି ବର୍ଷ ମଧ୍ୟରେ ଦକ୍ଷ ଖେଳାଳି ସୃଷ୍ଟି କରିପାରିବା। ଏଥିସହ ଉପ ସଭାପତି ପଦ ପାଇଁ ପୁଣି ଥରେ ନିର୍ବାଚନ ହେବ।
ନିକଟରେ ଇଣ୍ଡିଆ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ଫ୍ଲଡ ଲାଇଟ ବନ୍ଦ ହୋଇଯିବା ପ୍ରସଙ୍ଗରେ ଓସିଏ ସରକାରଙ୍କୁ ସ୍ପଷ୍ଟୀକରଣ ଦେଇଛି। ସେହିପରି ଏମିତି ପରିସ୍ଥିତି ପୁଣି ଥରେ ନ ଉପୁଜିବା ପାଇଁ ପ୍ରତି ଫ୍ଲଡ୍ ଲାଇଟ୍ ପଏଣ୍ଟ ନିକଟରେ ଦୁଇଟି ଜେନେରେଟର ଲଗାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ରୁ ୨୦୨୨ ଯାଏଁ ଓସିଏ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ପଙ୍କଜ ଲୋଚନ। ଏବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି।