ଭୁବନେଶ୍ୱର, ୦୧/୦୩: ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଅସମ୍ଭାଳ ହେଲାଣି ତାତି। ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା। ଏପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇନାହିଁ। ହେଲେ, ବସନ୍ତ ମାସରୁ ଗ୍ରୀଷ୍ମ ଋତୁର ଅନୁଭବ ହେଲାଣି। ଏବେଠୁ ଏତେ ତାତି ଅନୁଭୂତ ହେଉଥିବା ବେଳେ ଆଗକୁ ଆହୁରି ତାତି ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।
ଶନିବାର ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୩୭.୪ ଡିଗ୍ରୀ ରେକର୍ଡ କରି ଶୀର୍ଷରେ ରହିଛି। ସମ୍ବଲପୁର (୩୬.୮ ଡିଗ୍ରୀ), ରାଉରକେଲା (୩୬.୪ ଡିଗ୍ରୀ), ଚାନ୍ଦବାଲି (୩୪.୮ ଡିଗ୍ରୀ), କେନ୍ଦୁଝର (୩୪.୪ ଡିଗ୍ରୀ) ଏବଂ ଭୁବନେଶ୍ୱର (୩୪ ଡିଗ୍ରୀ ସେଲସିୟସ) ରେକର୍ଡ କରାଯାଇଛି।
ଆଇଏମଡି ପକ୍ଷରୁ ସୂଚନା ମିଳିଛି ଯେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିଛି। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଥିବା ବେଳେ ମାତ୍ର କିଛି ସ୍ଥାନରେ ସ୍ୱାଭାବିକ ତାପମାତ୍ରା ରେକର୍ଡ କରାଯାଇଛି।