କଡ଼ ଲେଉଟିଲା ନବ ଦାସ ହତ୍ୟା ମାମଲା

୨୦୨‌୩ ମସିହାରେ ଘଟିଥିବା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ପଛରେ ଷଡ଼ଯନ୍ତ୍ର ଥିବା ନେଇ ପୁର୍ବରୁ କହିଥିଲେ ପରିବାର।

ପୁଣି କ୍ରାଇମ୍‌ବ୍ରାଞ୍ଚର ତନାଘନା ଆରମ୍ଭ: ଦୀପାଳି ଓ ବିଶାଳଙ୍କୁ ନୋଟିସ୍‌

ଝାରସୁଗୁଡ଼ା, ୦୧/୦୩: ଖୋଲିଲା ନବ ଦାସ ହତ୍ୟା ମାମଲା।ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ କଲା କ୍ରାଇମବ୍ରାଞ୍ଚ।  ଏହି  ଖବର ରାଜ୍ୟ ରାଜନୀତିକୁ ସର୍ ଗରମ କରି ଦେଇଛି। ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ନୋଟିସ୍ କରିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ସେମାନେ କ୍ରାଇମ୍‌ବ୍ରାଞ୍ଚ୍‌ରେ ହାଜର ହେବାକୁ ନୋଟିସ୍ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତକୁ ନେଇ ସେମାନଙ୍କ କିଛି କହିବାର ଥିଲେ ବା ଆପତ୍ତି ଥିଲେ, ସେମାନେ ସେଦିନ ଜଣାଇପାରିବେ ବୋଲି କୁହାଯାଇଛି।

କ୍ରାଇମ୍‌ବ୍ରାଞ୍ଚ୍‌ର ଏହି ନୋଟିସ୍‌ ଏବେ ସବୁ ମହଲରେ ଉତ୍କଣ୍ଠା ବଢ଼ାଇଛି। ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନି। ଫାଇନାଲ ଚାର୍ଜସିଟ୍‌ ଦାଖଲ କରିନି କ୍ରାଇମବ୍ରାଞ୍ଚ। ଅନ୍ୟପଟେ ଦୀପାଳି ଓ ବିଶାଳ କ୍ରାଇମ୍‌ବ୍ରାଞ୍ଚ୍‌କୁ କ’ଣ କହିବେ? ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ? ଏମିତି ବିଭିନ୍ନ ପ୍ରଶ୍ନକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ତେଣୁ କିଛି ଦିନ ହେଲା ସିବିଆ‌ଇ ତଦନ୍ତ ପ୍ରସଙ୍ଗରେ ଲାଗି ରହିଥିବା ହଟଚମଟ ଏହି ନୋଟିସ୍‌କୁ ନେଇ ପୁଣି ରାଜନୈତିକ ହଇଚଇ ସୃଷ୍ଟି କରିବ ବୋଲି ଜଣାପଡ଼ିଛି।