୮୦ ହଜାର ଅଯୋଗ୍ୟ ହିତାଧୀକାରୀ ଫେରାଇଲେଣି ରାସନ୍ କାର୍ଡ

ସେମାନଙ୍କ ମଧ୍ୟରେ ଅଛନ୍ତି ୪୫୦୦ ସରକାରୀ କର୍ମଚାରୀ

ସ୍ୱଇଚ୍ଛାରେ ଫେରାଇବାକୁ ଯୋଗାଣ ମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର, ୦୨/୦୩: ରାସନ୍ କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ। ଏବେ ଯାଏଁ ୮୦ ହଜାରରୁ ଉର୍ଦ୍ଧ୍ଵ ଅଯୋଗ୍ୟ ହିତାଧିକାରୀ ୧୨ ହଜାର ରାସନ୍ କାର୍ଡ ଫେରାଇ ସାରିଲେଣି। ସେମାନଙ୍କ ମଧ୍ୟରେ ଅଛନ୍ତି ୪୫୦୦ ସରକାରୀ କର୍ମଚାରୀ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଏହି ସୂଚନା ଦେଇଛନ୍ତି।

ପ୍ରତିଦିନ ପ୍ରାୟ ୩ରୁ ୪ ହଜାର ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଉଛନ୍ତି। ଲୋକମାନେ ସ୍ୱଇଚ୍ଛାରେ କାର୍ଡ ଫେରସ୍ତ କରୁଥିବାରୁ ଏହା ଏକ ବଡ଼ ସଫଳତା। ଯେଉଁମାନେ ଏବେ ବି କାର୍ଡ ରଖିଛନ୍ତି ସେମାନଙ୍କୁ ଫେରାଇ ଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ଆୟ କରୁଥିବା ବ୍ୟକ୍ତିମାନେ କାର୍ଡ ଫେରାଇ ଦିଅନ୍ତୁ। ଯେଉଁମାନେ କାର୍ଡ ଫେରାଇ ନାହାନ୍ତି ସେମାନଙ୍କ ବିରୋଧରେ ସରକାର ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ। କିନ୍ତୁ କାର୍ଡ ଫେରସ୍ତ ହେବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ।

ମାର୍ଚ୍ଚ ୧ରୁ ରାସନ୍ କାର୍ଡ ପୋର୍ଟାଲ ଖୋଲାଯିବା ପରେ ଦେଢ଼ ହଜାର ନୂଆ ଆବେଦନ ହୋଇଛି। ପୂର୍ବରୁ ୬ ଲକ୍ଷ ଆବେଦନକାରୀ ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ ହେବ। ଆୟକର ଫାଇଲ ଦେଇଥିବା ହିତାଧିକାରୀଙ୍କ ଫିଜିକାଲ ଭେରିଫିକେସନ ହେବ। ଏବଂ ଯେଉଁ ମାନେ ଅଯୋଗ୍ୟ ସେମାନଙ୍କୁ ଏହି ସୁବିଧାରୁ ବାଦ ଦିଆଯିବ। ତେବେ ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ କଟାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।