କପି ଯାଞ୍ଚ ବେଳେ ଅସଦାଚରଣ

ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ରୀ

କେନ୍ଦ୍ରାପଡ଼ା, ୦୨/୦୩: କପି ଯାଞ୍ଚ ବେଳେ ଅଧ୍ୟାପକଙ୍କ ଅସଦାଚରଣ। ସହିନପାରି ଜୀବନ ହାରିଲେ ଛାତ୍ରୀ। ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ପଟ୍ଟାମୁଣ୍ଡାଇ କଲେଜରେ ଯୁକ୍ତ ଦୁଇ ବାଣିଜ୍ଯ ପଢୁଥିବା ଛାତ୍ରୀଙ୍କ ସହ ଘଟିଛି ଏଭଳି ଘଟଣା। ମୃତ ଛାତ୍ରୀ ଜଣକ ହେଉଛନ୍ତି ବଡପଡା ପଞ୍ଚାୟତର ସୌମ୍ୟା ଶାଶ୍ୱତୀ ନାୟକ। ଏନେଇ ନାବାଳିକାଙ୍କ ମା’ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଅଭିଯୋଗ ଅନୁଯାୟୀ, ଫେବ୍ରୁଆରି ୧୯ ତାରିଖରେ ଛାତ୍ରୀ ଜଣକ ପରୀକ୍ଷା ଦେଉଥିବା ବେଳେ ଜଣେ ଅଧ୍ୟାପକ ତାଙ୍କୁ କପି ଯାଞ୍ଚ କରିବା ବାହାନାରେ ଏକ କମନ୍ ରୁମକୁ ଡାକି ଅସଦାଚରଣ କରିଥିଲେ। ଯାହାଫଳରେ ମାନସିକ ଚାପରେ ରହି ଝିଅ ଆତ୍ମହତ୍ୟା କରିଛି ବୋଲି ମାଆ ଲକ୍ଷ୍ମୀପ୍ରିୟା ଅଭିଯୋଗ କରିଛନ୍ତି।

ଛାତ୍ରୀଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଧ୍ୟାପକ ଜଣକ ତାଙ୍କ ଝିଅକୁ ଅସଦାଚରଣ କରିବା ପରେ ଯଦି ସେ ଏହି ବିଷୟରେ କାହାକୁ କୁହନ୍ତି, ତେବେ ତା’ର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ପରୀକ୍ଷା ସରିବା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ନିଜ ମା’ଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ମା’ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ, କିନ୍ତୁ ପରୀକ୍ଷା ସରିବା ପରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ହେଲେ ଫେବ୍ରୁଆରି ୨୪ ତାରିଖରେ ଛାତ୍ରୀ ଜଣକ ଘରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ।

ସୂଚନାନୁସାରେ, ଛାତ୍ରୀଙ୍କୁ ୧୯ ତାରିଖରେ ଅସଦାଚରଣ ହୋଇଥିବା ବେଳେ ସେ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ ଏବଂ ତାଙ୍କ ମା’ ମାର୍ଚ୍ଚ ୧ରେ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଏହି ଘଟଣାରେ ସତ୍ୟାସତ୍ୟ ନେଇ ପୋଲିସ ଖୋଳତାଡ କରିବା ଆରମ୍ଭ କରିଛି। କଲେଜର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଅନ୍ୟପଟେ ପଟ୍ଟାମୁଣ୍ଡାଇ କଲେଜ୍ ଅଧ୍ୟକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।