ଓଡ଼ିଶାରେ ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି ସରକାର

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର, ୧୦/୦୩: ଓଡ଼ିଶାରେ ୩୭୩୮ ଜଣ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଦେଶାନ୍ତର ପାଇଁ ବିଚାର ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ବିଜେପି ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏଭଳି ଉତ୍ତର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ରାଜ୍ୟରେ ରହୁଥିବା ୩,୭୩୮ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିଛନ୍ତି। ଯେଉଁଥିରେ ସର୍ବାଧିକ ୪ଟି ଜିଲ୍ଲା ଯଥା କେନ୍ଦ୍ରାପଡ଼ାରେ ୧୬୪୯, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫ ଏବଂ ନବରଙ୍ଗପୁରରେ ୧୦୬ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅପରାଧିକ ମାମଲାରେ ୪୧ ଜଣ ବାଂଲାଦେଶୀ ନାଗରିକ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସମସ୍ତ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିଜ ନିଜ ଅଞ୍ଚଳରେ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।