ପୁରାଣ ଠାରୁ ଆରମ୍ଭ କରି ପାଣିନିଙ୍କ ବ୍ୟାକରଣ ପର୍ଯ୍ୟନ୍ତ ଓଡ଼ିଶାର ବର୍ଣ୍ଣନା

‘ଉଡ୍ଡୀୟାନ’ରୁ ‘ଉତ୍କଳ’-‘କପିଶା ନଦୀ’ରୁ ‘ବିଳାସପୁର’

ଆଜି ପ୍ରତିଟି ଓଡ଼ିଆ ପାଳୁଛି ‘ଉତ୍କଳ ଦିବସ’ ବା ‘ଓଡିଶା ଦିବସ’। ୧୯୩୬ ଏପ୍ରିଲ ୧ରେ ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା। ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ। ଏହା ପୂର୍ବରୁ ବ୍ରିଟିଶ ଶାସନ କାଳରେ ଓଡ଼ିଶା ବେଙ୍ଗଲ ପ୍ରେସିଡେନ୍ସି ଓ ବିହାର ଅଧିନରେ ଥିଲା। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବାରେ ବହୁ ବଳିଦାନ ଦେବାକୁ ପଡିଛି ଓଡି଼ଶାର ବରପୁତ୍ର ମାନଙ୍କୁ।

ଓଡ଼ିଶାର ଏକ ସମୃଦ୍ଧ ଓ ଜୀବନ୍ତ ଇତିହାସ ରହିଛି, ଯାହା କି ମହାଭାରତ ସମୟର। ଏଠାରେ ପ୍ରସିଦ୍ଧ କଳିଙ୍ଗ ସାମ୍ରାଜ୍ୟ ସମେତ ଶକ୍ତିଶାଳୀ ରାଜ୍ୟ ରହିଥିଲା, ଯାହା ଭାରତୀୟ ଇତିହାସକୁ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସଂଘର୍ଷ ଆରମ୍ଭ ହୋଇଥିଲା ଉତ୍କଳ ସମ୍ମିଳନୀରୁ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ, ବ୍ରଜ ସୁନ୍ଦର ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଦିୱାନ ଅଥର ମହମ୍ମଦ, ଗଙ୍ଗାଧର ମେହେର, ବାସୁଦେବ ସୁଢଳଦେବ, ରାଧାନାଥ ରାୟ, ସୟଦ ମହମ୍ମଦ, ଭୁବନାନନ୍ଦ ଦାସ, ଏପି ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା।

୧୯୩୬ ମସିହା ଏପ୍ରିଲ ୧ରେ ମାଡ୍ରାସ ପ୍ରେସିଡେନ୍ସିରୁ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାକୁ ମିଶାଇ ବିହାର ଓ ବେଙ୍ଗଲ ପ୍ରୋଭିନ୍ସରୁ ଅଲଗା ହୋଇ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’ ଗଠନ ହୋଇଥିଲା। ନବଗଠିତ ଓଡ଼ିଶାରେ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଆଦି ୬ଟି ଜିଲ୍ଲା ରହିଥିଲା। ଜନ୍ ଅଷ୍ଟିନ୍ ହବ୍ୟାକ୍ ଶପଥ ଗ୍ରହଣ କରି ଓଡ଼ିଶା ପ୍ରଦେଶର ପ୍ରଥମ ରାଜ୍ୟପାଳ ହୋଇଥିଲେ।

 

ଓଡ଼ିଶା ପଛର ଇତିହାସ ଓ ପୁରାଣରେ ଓଡ଼ିଶା:

ଉତ୍କଳ ଥିଲା ‘ଉଡ୍ଡୀୟାନ’। ଏହି ଦେଶ ଉତ୍ତରରେ କପିଶା ନଦୀ (କଂସେଇ ବା କାଂଶବାଂଶ) ଠାରୁ ଦକ୍ଷିଣରେ ଋଷିକୂଲ୍ୟା ଯାଏଁ, ପୂର୍ବରେ ପୂର୍ବ ସମୁଦ୍ର (ଆଧୁନିକ ବଙ୍ଗଳା ଖ୍ୟାତ) ଠାରୁ ପଶ୍ଚିମରେ ବିଳାସପୁର ଯାଏଁ ବିସ୍ତୃତ ଥିଲା।

ଉତ୍କଳର ନାମକରଣ ସମ୍ବନ୍ଧରେ ବହୁମତ ରହିଛି। ସୁଦ୍ୟୁମ୍ନଙ୍କ ପୁତ୍ର ‘ଉତ୍କଳ’ ଏ ରାଜ୍ୟ ସ୍ଥାପନ କରିଥିଲେ। ରାଜଧାନୀର ନାମ ଥିଲା ‘ଉତ୍କଳା’। ସମସ୍ତ ପ୍ରକାର ‘କଳା’ ବା ବିଦ୍ୟାର ବିକାଶ ଭୂମି ହେତୁ ଏ ଦେଶ ଉତ୍କଳ ନାମରେ ପ୍ରସିଦ୍ଧ ହେବା କେତେକଙ୍କର ମତ। ମହାଭାରତ ଭୀଷ୍ମପର୍ବରେ କର୍ଣ୍ଣ ଏ ଦେଶ ଜୟ କରିଥିବା ଉଲ୍ଲେଖ ଅଛି। ମହାକବି କାଳିଦାସଙ୍କ ରଘୁବଂଶରେ ଉତ୍କଳର ନାମ ଅଛି‌। ଏ ଦେଶକୁ ଲାଗି ଦକ୍ଷିଣରେ କଳିଙ୍ଗ ଦେଶ ଥିଲା। ଦକ୍ଷିଣ କୋଶଳ ବର୍ତ୍ତମାନ ମଧ୍ୟପ୍ରଦେଶର ସମଗ୍ର ପୂର୍ବାଞ୍ଚଳ ସମେତ ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ମାନଙ୍କୁ ନେଇ ଗଠିତ ହୋଇଥିଲା। ମହାଭାରତର ସଭା-ଭୀଷ୍ମ-ଦ୍ରୋଣ ଓ କର୍ଣ୍ଣପର୍ବ ମାନଙ୍କରେ କୋଶଳ ଦେଶର ଉଲ୍ଲେଖ ଅଛି। କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ସାହାଯ୍ୟରେ ଏ ଦେଶ ଜୟ କରିଥିଲେ। ସହଦେବ ତାଙ୍କର ଦକ୍ଷିଣ-ଦିଗ ବିଜୟରେ ମଧ୍ୟ ଏ ଦେଶ ଜୟ କରିଥିଲେ। ଅଭିମନ୍ୟୁ କୋଶଳାଧିପତି ବୃହଦ୍ବଳଙ୍କୁ ଯୁଦ୍ଧରେ ନିହତ କରିଥିଲେ। ଦକ୍ଷିଣକୋଶଳର ଏକକାଂଶ ଉତ୍କଳର ଅଧୀନ ହୋଇଥିଲା।

କଳିଙ୍ଗ ଋଷିକୂଲ୍ୟା ନଦୀର ଦକ୍ଷିଣରୁ ଗୋଦାବରୀ ନଦୀ ଯାଏଁ ପୂର୍ବ ସାଗର ଠାରୁ ପଶ୍ଚିମରେ ଅମରକଣ୍ଟକ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି ମତ୍ସ୍ୟ, କୂର୍ମ, ବାୟୁ ଓ ସ୍କନ୍ଦ ପୁରାଣରେ ଏହା ଉଲ୍ଲେଖ ଅଛି।

ମହାଭାରତର ଆଦି ପର୍ବରେ ଅର୍ଜୁନଙ୍କ ତୀର୍ଥଯାତ୍ରା ପ୍ରସଙ୍ଗରେ, ଭୀଷ୍ମପର୍ବରେ ସହଦେବଙ୍କ ଦକ୍ଷିଣ ଦିଗ୍-ବିଜୟରେ, ସଭାପର୍ବରେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ଭେଟି ଦେବା, ବନପର୍ବରେ କର୍ଣ୍ଣ ଏ ଦେଶକୁ ଜୟ କରିବା ଏବଂ ଉଦଯୋଗାଦି ପର୍ବରେ ଓ ଭୀମଙ୍କ ଦ୍ୱାରା ସୁପୁତ୍ର ନିହତ ହୋଇଥିଲେ। ବିଷ୍ଣୁ ପୁରାଣରେ ‘ଗୁହ’ ନାମକ ରାଜା କଳିଙ୍ଗ ଶାସନ କରୁଥିବା ଉଲ୍ଲେଖ ଅଛି। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ କଳିଙ୍ଗ ହସ୍ତୀ ମାନେ ଶ୍ରେଷ୍ଠ ବୋଲି ଉଲ୍ଲେଖ ଅଛି।

ପାଣିନିଙ୍କ ବ୍ୟାକରଣ ୪|୧|୧୭୦ ସୂତ୍ରରେ କଳିଙ୍ଗ ଜଳପଥ ରାଜ୍ୟ ଥିବା ଉଲ୍ଲେଖ କରାଯାଇଛି। ଶଂସିତ କାଳରେ ମହାତ୍ମା ଜଗନ୍ନାଥ ଦାସ ସଂସ୍କୃତ ଭାଗବତକୁ ଓଡ଼ିଆ ନବାକ୍ଷରୀ ପଦ୍ୟରେ ଅନୁବାଦ କରିଥିଲେ।

ଇତିହାସକୁ ଦେଖିଲେ ନଜିର ଆସେ ଯେ, ଓଡ୍ର ବା ଉଡ୍ର, ଉତ୍କଳ, କଳିଙ୍ଗ ଅତି ପ୍ରାଚୀନ। ସମଜାତୀୟ ତଥା ସମାଭାଷାଭାଷୀ ବ୍ୟକ୍ତି ବର୍ଗ ଏଠି ରାଜତ୍ୱ କରୁଥିଲେ। ବହୁ ସମୟରେ ଏମାନଙ୍କର ସୀମା ମଧ୍ୟ ବଦଳୁଥିଲା। ତିନିଟି ଯାକ ରାଜ୍ୟର ବହୁ ଅଂଶ ଶବରାଦି ଆଦିବାସୀଙ୍କ ବାସସ୍ଥଳୀ ଥିଲା। କାଳକ୍ରମେ ଉଡ୍ର ଏବଂ ଉତ୍କଳ ଏକ ହୋଇଗଲା। କଳିଙ୍ଗ ସାମ୍ରାଜ୍ୟ ଦିନକୁ ଦିନ ବୃଦ୍ଧି ଲାଭ କଲା। ଏକ ସମୟରେ ମହାନଦୀଠାରୁ ଗୋଦାବରୀ ଯାଏଁ ଏହାର ବିସ୍ତୃତି ଘଟିଥିଲା। ଏହିପରି ଭାବେ ଓଡ଼ିଶା କୌଣସି ଶାସକଙ୍କ ଅଧୀନକୁ ନ ଯାଇ ନିଜର ସ୍ୱାଧୀନତା ବଜାୟ ରଖିଥିଲା।