ଜୟପୁର ବ୍ଲକ୍‌ରେ ବ୍ୟାପିଲା ଝାଡାବାନ୍ତି

କୋରାପୁଟ: କୋରାପୁଟ ବୋରିଗୁମ୍ମା ଓ ମସ୍ତିପୁଟ ପରେ ଏବେ ଜୟପୁର ବ୍ଲକକୁ ବ୍ୟାପିଲା ଝାଡାବାନ୍ତି । ଡଙ୍ଗରଛିଂଚି ପଂଚାୟତରେ ମୋଟ ୧୬ ଜଣ ଏବେ ଝାଡାବାନ୍ତିରେ ଆକ୍ରାନ୍ତ । ୧୦ ଜଣ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ଗାଁରେ ଲୋକଙ୍କୁ କ୍ୟାମ୍ପ କରି ଆବଶ୍ୟକ ଔଷଧ ଯୋଗାଇ ଦେଉଛି ସ୍ବାସ୍ଥ୍ୟ ବିଭାଗ ।

ଦୂଷିତ ପାଣି ପିଇବା ଯୋଗୁଁ ହିଁ ଏଠାରେ ଝାଡାବାନ୍ତି ବ୍ୟାପୁଥିବାରୁ ଖୋଲା କୂଅକୁ ବନ୍ଦ କରି ଯାଇଥିଲା ବେଳେ କେନାଲ ପାଣି ବ୍ୟବହାର କରିବାକୁ ଲୋକଙ୍କୁ ବାରଣ କରାଯାଇଛି। ଧିରେ ଧିରେ ସ୍ଥିତିରେ ସୁଧାର ଆସୁଛି । ୪ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଏବେ କେବଳ ୨ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଘରେ ରହି ଚିକିତ୍ସିତ ହେଉଥିବା ୧୦ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି । ତେବେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇ ନଯାଇ କୋରାପୁଟ ମେଡିକାଲ କଲେଜକୁ ପଠାଯାଉଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ ।