ବିଶିଷ୍ଟ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୯/୦୪: ବିଶିଷ୍ଟ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଆଜି ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୭୦ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି।

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, “ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ୍ ଜଣାଶୁଣା ଥିଲେ। ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି।”

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି, “ସ୍ୱର୍ଗତଃ ମହାନ୍ତି ତାଙ୍କର ବୃତ୍ତି ପ୍ରତି ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗୀତକୃତ ଥିଲେ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ନିଷ୍ଠା ଅତୁଳନୀୟ ଥିଲା। ତାଙ୍କର ବିୟୋଗରେ ଆମେ ଜଣେ ଆଦର୍ଶ ସାମ୍ବାଦିକ ଓ ଭଲ ମଣିଷଙ୍କୁ ହରାଇଲୁ” ବୋଲି କହିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଏବଂ ପରଲୋଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ନବୀନ ପଟ୍ଟନାୟକ।