ଭୁବନେଶ୍ୱର, ୧୯/୦୪: ଆଜିଠାରୁ ନବମ ଥର ପାଇଁ ବିଜୁ ଜନତା ଦଳର ମଙ୍ଗ ଧରିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଶନିବାର ସକାଳ ୧୧ଟାରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିବା ଦଳର କାର୍ଯ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକରେ ବିଜୁ ଜନତା ଦଳର ସଭାପତି ଭାବେ ନବୀନଙ୍କ ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ୩୫୫ ରାଜ୍ୟ ପରିଷଦ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।
ନବୀନ ସଭାପତି ଭାବେ ନିର୍ବାଚିତ ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ଓ ବିଜୁ ବାବୁଙ୍କୁ ସ୍ମରଣ କରିଛନ୍ତି। ୨୪ ବର୍ଷ ଶାସନରେ ଥିବା ବେଳେ ସଫଳତାର କାହାଣୀ ବଖାଣିଛନ୍ତି ନବୀନ।
ନବୀନ କହିଛନ୍ତି, “ବିଜୁ ଜନତା ଦଳର ସଭାପତି ଭାବରେ ଦଳର ସେବା କରିବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନଙ୍କ ଏଇ ଭଲ ପାଇବା ମୋତେ ସବୁବେଳେ ଆପଣଙ୍କ ନିକଟରେ ଋଣୀ କରି ରଖିଛି। ଏହି ଅବସରରେ ଆମର ପ୍ରିୟ ନେତା ବିଜୁ ବାବୁଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ବିଜୁବାବୁଙ୍କ ଆଦର୍ଶ ସବୁବେଳେ ଆମକୁ ବାଟ ଦେଖାଇ ଆସିଛି। ଆଜିର ଷ୍ଟେଟ କାଉନସିଲ ମିଟିଙ୍ଗକୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି।”
“ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ର ସୁଯୋଗ ପାଇଥିଲା। ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ବିଭିନ୍ନ ରାଜ୍ୟ ପାଇଁ ମଡେଲ ହୋଇଥିଲା। ବିଜୁ ଜନତା ଦଳର ସାଂଗଠନିକ ଶକ୍ତିକୁ କେହି ବି ଅଣଦେଖା କରିବା ଉଚିତ୍ ନୁହେଁ। ଆମର ସମସ୍ତ କର୍ମୀ ଭାଇ ଭଉଣୀ ମାନଙ୍କ ଉଚ୍ଚ ମନୋବଳ ଅଛି। ସେହିମାନେ ହିଁ ଆମ ଦଳର ପ୍ରକୃତ ସମ୍ପତ୍ତି। ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି।”
“ସରକାରରେ ରହୁ ବା ନ ରହୁ ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାବାସୀଙ୍କ ସେବା କରି ଚାଲିଛି ଏବଂ କରି ଚାଲିବ। ମହିଳା, ଚାଷୀ, ଯୁବସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ ସଶକ୍ତୀକରଣ ଆମର ଲକ୍ଷ୍ୟ। ଆଞ୍ଚଳିକ ବିକାଶ ଆମର ଲକ୍ଷ୍ୟ। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥିରେ ବିଜେଡ଼ି ସବୁବେଳେ ଯୋଡ଼ି ହୋଇ ରହିଛି ଓ ରହିବ। ଓଡ଼ିଶାର ହକ୍ ପାଇଁ ଆମର ଲଢେ଼ଇ ଜାରି ରହିବ। ଓଡ଼ିଆଙ୍କ ସ୍ୱାଭିମାନ ଓ ଓଡ଼ିଆଙ୍କ ସ୍ୱାର୍ଥ ଆମ ପାଇଁ ସବୁଠୁ ଉପରେ।”
“ବିଜୁ ଜନତା ଦଳ ସବୁବେଳେ ତା’ର ଆଦର୍ଶରେ ଦୃଢ଼ ରହିଛି ଓ ରହିବ। ଆମେ ପୂର୍ବ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରି ଗଲୁ। ଯଦିଓ ବିଜେଡ଼ି ଅଧିକ ଭୋଟ ପାଇଥିଲା। ସେମାନଙ୍କର ମିଛ କାହାଣୀର ଆମେ ସଠିକ୍ ଜବାବ ଦେଇ ପାରିଲୁ ନାହିଁ ବୋଲି ଏହା ହେଲା। ଏବେ ମଧ୍ୟ ବିଜେଡ଼ି ବିରୋଧରେ ମିଛ କାହାଣୀ କହୁଛି ଶାସକ ଦଳ। ବିଶେଷ କରି ସୋସିଆଲ ମିଡିଆରେ ଏହି ମିଥ୍ୟା କାହାଣୀକୁ ପଦାରେ ପକାଇବା ପାଇଁ ଆମେ ଆକ୍ରମଣାତ୍ମକ ହେବା ଉଚିତ। ସୋସିଆଲ ମିଡିଆରେ ଆମକୁ ଜବାବ ଦେବା ପାଇଁ ଆମକୁ ଆହୁରି ଉନ୍ନତି ଦରକାର। ବିଜେଡ଼ିର କର୍ମୀ ଭାଇଭଉଣୀ ଆମର ସେବାର ବାର୍ତ୍ତା ପହଞ୍ଚାଇବେ” ବୋଲି ନବୀନ କହିଛନ୍ତି।