ବାଲେଶ୍ଵର, ୧୯/୦୪: ମୋବାଇଲରେ ଅନଲାଇନ ଗେମ୍ ଖେଳି ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି ଯୁବ ସଫ୍ଟୱେର ଇଞ୍ଜିନିୟର। ଅନଲାଇନ ଗେମରେ ବିପୁଳ ପରିମାଣର ଟଙ୍କା ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଇଲେନି।
ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ତେଘାରି ଗ୍ରାମର ସର୍ବଜିତ ରାୟ(୪୪) ଚେନ୍ନାଇରେ ରହି ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ। ଗତ କିଛି ଦିନ ପୂର୍ବରୁ ଚାକିରି ଛାଡି ନିଜ ଗାଁରେ ଏକ ଟ୍ୟୁସନ ଚଳାଉଥିଲେ। ତେବେ ଏକ ଅନଲାଇନ ଗେମ୍ ଆପ୍ ‘ଜୁପି’ରେ ଗେମ୍ ଖେଳି ପଇସା ଲଗାଉଥିଲେ। ପ୍ରାଥମିକ ଭାବେ ୨୦ ହଜାର ଟଙ୍କା ହାରିଯିବା ପରେ ପୁଣି ସେହି ଟଙ୍କା ଫେରି ପାଇବା ପାଇଁ ଗେମରେ ଆହୁରି ଟଙ୍କା ଲଗାଇଥିଲେ ଯୁବକ। ଏହିଭଳି ଭାବେ ୬ ଲକ୍ଷ ଟଙ୍କା ସେ ଏହି ଗେମରେ ହରାଇଥିଲେ। ଯାହା ଫଳରେ ଆତ୍ମବିଶ୍ବାସ ହରାଇ ମାନସିକ ଅବସାଦରେ ରହି ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ। ସେ ନିଜ ହାତରେ ବ୍ଲେଡରେ ତାଙ୍କ ତଣ୍ଟି ଓ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଏହା ଜାଣିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜଳେଶ୍ୱରରେ ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।