ନୂଆଦିଲ୍ଲୀ, ୧୯/୦୪: ଉତ୍ତର-ପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଘଟିଛି ଏକ ବଡ଼ ଅଘଟଣ। ଏପ୍ରିଲ ୧୯ ତାରିଖ ଭୋର ପ୍ରାୟ ୩ଟା ବେଳେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଗ୍ନାବଶେଷ ତଳେ ଆହୁରି ଫସି ରହି ଯାଇଥିବାର ଅନୁମାନ କରାଯାଉଛି। ଏନଡିଆରଏଫ, ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀମାନେ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ମୃତକଙ୍କ ମଧ୍ୟରେ ଚାନ୍ଦିନୀ (୨୩), ଦାନିଶ (୨୩), ନାଭେଦ (୧୭), ରେଶମା (୩୮) ଏବଂ ଅନ୍ୟ ୪ ଜଣ ଅଛନ୍ତି। ସେହିପରି ଆହତଙ୍କ ମଧ୍ୟରେ ସାହିଦ (୪୫), ରେହାନା (୩୮), ଅହମ୍ମଦ (୪୫), ତନୁ (୧୫) ଓ ଜିନତ (୫୮)ଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଚାନ୍ଦ (୨୫), ଶାନ୍ (୪), ସାନ୍ୟା (୨), ନେହା (୧୯), ଆଲଫେଜ୍ (୨୦) ଓ ଆଲିଆ (୧୭)ଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ଅନ୍ୟପଟେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ରେଖା ଗୁପ୍ତା ଏକ୍ସରେ ଶୋକ ବ୍ୟକ୍ତ କରି କହିଛନ୍ତି, “ମୁସ୍ତାଫାବାଦରେ କୋଠା ଭୁଶୁଡ଼ିବା ଦୁଃଖଦ ଘଟଣାରେ ମୁଁ ଗଭୀର ଭାବରେ ବ୍ୟଥିତ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିଡିଏମଏ, ଏନଡିଆରଏଫ, ଡିଏଫଏସ ଏବଂ ଅନ୍ୟାନ୍ୟ ଏଜେନ୍ସି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିରନ୍ତର ନିୟୋଜିତ ଅଛନ୍ତି। ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା। ଭଗବାନ ଦିବଂଗତ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ।”
ସେହିପରି ଦିଲ୍ଲୀ ବିଧାନସଭା ଉପବାଚସ୍ପତି ମୋହନ ସିଂହ ବିଷ୍ଟ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।