ଭିଜିଲାନ୍ସ ସ୍କାନରରେ ଲାଞ୍ଚୁଆ ଅତିରିକ୍ତ ତହସିଲଦାର

ଲାଞ୍ଚ ଟଙ୍କା ଜବତ, ଅଧିକାରୀ ଗିରଫ

ସମ୍ବଲପୁର,୧୯/୦୪: ଲାଞ୍ଚ ନେଇ ଫସିଲେ ଅତିରିକ୍ତ ତହସିଲଦାର। ସମ୍ବଲପୁର ଜିଲ୍ଲା ମନେଶ୍ୱରର ଅତିରିକ୍ତ ତହସିଲଦାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ ଟିମ୍। ଲାଞ୍ଚୁଆ ଅଧିକାରୀ ଜଣକ ହେଉଛନ୍ତି ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ଭୁବନାନନ୍ଦ ସାହୁ।

ମିଳିଥିବା ସୂଚନା ମୁତାବକ, ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ବାସଗୃହ ଜମିରେ ପରିଣତ କରିବା ପାଇଁ ରେଜିଷ୍ଟର କରିବାକୁ ଅନୁରୋଧ କରିଥିଲେ। ହେଲେ, ଅଧିକାରୀ ଜଣକ ଏଥିପାଇଁ ତାଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ପରେ ୬୦୦୦ ଟଙ୍କା ଲାଞ୍ଚ ନେବେ ବୋଲି ରାଜି ହୋଇଥିଲେ। ଅନ୍ୟୋପାୟ ନ ପାଇ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପରେ ଭିଜିଲାନ୍ସର ଟିମ୍ ଲାଞ୍ଚୁଆ ଅଧିକାରୀଙ୍କୁ ରଙ୍ଗେ ହାତ ଧରିବା ପାଇଁ ଜାଲ ବିଛାଇଥିଲେ। ଭିଜିଲାନ୍ସର ପୂର୍ବ ଯୋଜନା ମୁତାବକ ଅଧିକାରୀ ଜଣକ ଉକ୍ତ ବ୍ୟକ୍ତିଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ସରକାରୀ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତାଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଚଢ଼ାଉ କରାଯାଇଛି।