ଦୁଇ ଦିବ୍ୟାଙ୍ଗଙ୍କ ଭତ୍ତା ଅପେକ୍ଷାର ଅନ୍ତ କେବେ!

ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ପ୍ରଶାସନ ଜଳକା

ଧର୍ମଗଡ଼, ୧୯/୦୪(ଦର୍ଶନ ନ୍ୟୁଜ): ଦିବ୍ୟାଙ୍ଗମାନଙ୍କ ଥଇଥାନ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଯୋଜନାରେ ଦିବ୍ୟାଙ୍ଗଙ୍କୁ ପ୍ରାଥମିକତା ଦେବାକୁ ନିୟମ ରହିଛି। ସମସ୍ତ ମୌଳିକ ସୁବିଧା ତ୍ୱରାନ୍ୱିତ ଭାବେ ଯୋଗାଇ ଦେବାକୁ ନିର୍ଦ୍ଦେଶ ବି ରହିଛି। ହେଲେ ଧର୍ମଗଡ଼ ବ୍ଲକ ଟେଣ୍ଡାପାଲି ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମର ଦୁଇ ଦିବ୍ୟାଙ୍ଗ ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବଞ୍ଚିତ ରହି ଥିବା ଅଭିଯୋଗ ହେଉଛି। ସେଥିମଧ୍ୟରେ ଜଣେ ନାବାଳକ ବଧିର ହୋଇଥିବା ବେଳେ ଅନ୍ୟ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ଅନ୍ଧ ଅଟନ୍ତି। କେଶୁ ମାଝୀ (୮)ଜନ୍ମରୁ ବଧିର ଥିବା ବେଳେ ୮୨ ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି। ଅତି ଗରିବ ଶ୍ରେଣୀରୁ ଲାଳିତ ପାଳିତ ହୋଇ ବଢ଼ିଛନ୍ତି। ବାପା ଦୁର୍ଯ୍ୟୋଧନ ମାଝୀ ଅନ୍ୟମାନଙ୍କ ଘରେ ମୂଲ ଲାଗି ଯାହା ଆଣନ୍ତି ସେଥିରୁ ଚୁଲିରେ ନିଆଁ ଲାଗେ। ପିଲାଙ୍କ ଭତ୍ତା ଖଣ୍ଡିକ ପାଇଁ ପଞ୍ଚାୟତର ୱାର୍ଡ ମେମ୍ବର ଠାରୁ ସରପଞ୍ଚଙ୍କୁ ଗୁହାରି କରି ଶେଷରେ ନିରାଶ ହୋଇ ପଡିଛନ୍ତି। ଏପରିକି ଭତ୍ତା ପାଇଁ ଆବେଦନ କରିଥିଲେ ହେଁ ମିଳୁ ନ ଥିବାରୁ କ୍ଷୁବ୍ଧ ପ୍ରକାଶ କରିଛନ୍ତି। ସେଭଳି ଗ୍ରାମର ସ୍ୱାମୀ ପରିତ୍ୟକ୍ତା ମହିଳା ଚଞ୍ଚଲା ମାଝୀ (୩୫)ଙ୍କ ଗୋଟାଏ ଆଖି ସମ୍ପୁର୍ଣ୍ଣ ଦେଖା ଯାଏ ନାହିଁ। କେବଳ ଅନ୍ୟ ଆଖିରେ ଝାପସା ଦେଖା ଯାଉଥିବା କହନ୍ତି। ୩୬ ପ୍ରତିଶତ ଦିବ୍ୟାଙ୍ଗ ଥିବା ପ୍ରମାଣ ପତ୍ରରେ ଉଲ୍ଲେଖ ରହିଛି। ଅନେକ ଥର ଭତ୍ତା ଖଣ୍ଡକ ପାଇଁ ଆବେଦନ କରିବା ସହ ସରପଞ୍ଚ ଓ ମେମ୍ବରଙ୍କୁ ଜଣାଇଛନ୍ତି। ହସ ଖୁସିରେ ହାତ କୁ ଦ୍ଵି ହାତ ହୋଇ ଖୁସିରେ ରହିଥିଲେ। ହେଲେ କୌଣସି କାରଣରୁ ନିଜ ସ୍ୱାମୀ ମଧ୍ୟ ହାତ ଛାଡିଦେଲେ ବୋଲି ବାପା ମାଆଙ୍କ ଘରେ ପଡି ରହିଛନ୍ତି। ଭତ୍ତା ଖଣ୍ଡକ ମିଳିଲେ କଷ୍ଟେମଷ୍ଟେ ଚଳନ୍ତେ ବୋଲି ପରିବାର ଲୋକେ କହନ୍ତି। ତୁରନ୍ତ ଉଭୟ ଦିବ୍ୟାଙ୍ଗଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ବାର୍ଦ୍ଧକ୍ୟଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।