ଦିବ୍ୟାଙ୍ଗଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ସ୍ଵାସ୍ଥ୍ୟ ପରୀକ୍ଷା ବେଳେ ନାନା ଉପହାସ
ସ୍ଵାସ୍ଥ୍ୟ ପରୀକ୍ଷା ପରେ ବି ଦିବ୍ୟାଙ୍ଗଙ୍କୁ ମିଳୁନି ସଠିକ ପ୍ରମାଣ ପତ୍ର
ଶତ ପ୍ରତିଶତ ଭିନ୍ନକ୍ଷମ ସତ୍ତ୍ୱେ ବାଦ୍ ପଡିଛନ୍ତି ଦିବ୍ୟାଙ୍ଗ
ଅମ୍ବାଦଳା, ୧୯।୪: ଭିନ୍ନକ୍ଷମ ଶିବିରରେ ଦିବ୍ୟାଙ୍ଗଙ୍କୁ ହେଉଛି ଦୁର୍ବ୍ୟବହାର ଅଭିଯୋଗ। ଭିନ୍ନକ୍ଷମ ଶିବିର ଆୟୋଜନ କରାଯାଇ ସ୍ଵାସ୍ଥ୍ୟ ପରୀକ୍ଷା ବେଳେ ଦିବ୍ୟାଙ୍ଗ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଉପହାସ କରାଯାଉଥିବା ବେଳେ ସ୍ଵାସ୍ଥ୍ୟ ପରୀକ୍ଷା ପରେବି ସଠିକ୍ ପ୍ରମାଣ ପତ୍ର ମିଳୁନଥିବା ଦିବ୍ୟାଙ୍ଗ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପ ବିଭାଗ ରାୟଗଡ଼ ଆନୁକୁଲ୍ୟରେ ୪ ମାସ ତଳେ ମୁନିଗୁଡାରେ ଥିବା କମ୍ୟୁନିଟ ହଲ ପରିସରରେ ଭିନ୍ନକ୍ଷମ ଶିବିରର ଆୟୋଜନ କରାଯାଇ ଥିଲା। ପରିତାପର ବିଷୟ ଭିନ୍ନକ୍ଷମ ମାନେ ସକାଳୁ ଆସି ଧାଡ଼ି ବାନ୍ଧି ଠିଆ ହୋଇଥିବା ବେଳେ ଡାକ୍ତର ବାବୁ ମାନେ ବିଳମ୍ବରେ ପହଞ୍ଚିଥିଲେ। ଶିବିର ଆରମ୍ଭରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଡାକ୍ତରବାବୁ ମାନଙ୍କ ବିରକ୍ତି ଭାବ ସମସ୍ତଙ୍କୁ ଚକିତ କରିଥିଲା। ସେଠାରେ ଭିନ୍ନକ୍ଷମ ପ୍ରମାଣପତ୍ର ଦେବା ନାଁରେ ଭିନ୍ନକ୍ଷମ ମାନଙ୍କୁ ପ୍ରତାରିତ କରାଯାଉଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଯେତେବେଳେ ଜଣେ ମୁକ ଓ ବଧିରଙ୍କୁ ଡାକ୍ତର ମ୍ୟାଡାମ କଥା କହିବାକୁ ବାଧ୍ୟ କରିବା ଓ ପରେ ତୁମେ ଆମକୁ ସହାୟତା କରୁନାହଁ। ଏଠାକୁ ତମେ ଜାଣିଶୁଣି ସରକାରୀ ସହାୟତା ପାଇବା ଆଶାରେ ଅଭିନୟ କରୁଛ ବୋଲି କହିବା ସହ କୋରାପୁଟ ପଠାଇ ଦେବାର ଭୟ ମଧ୍ୟ ଦେଖାଇଥିବା ଅଭିଯୋଗ ଆଣିଛନ୍ତି ଭିନ୍ନକ୍ଷମ ଏବଂ ତାଙ୍କର ସମର୍କିୟ। ସେହିପରି ସ୍ଵାସ୍ଥ୍ୟ ପରୀକ୍ଷା ପରେ ସତ ପ୍ରତିଶତ ଭିନ୍ନକ୍ଷମ ଥାଇ ମଧ୍ୟ ଦିବ୍ୟାଙ୍ଗ ମାନଙ୍କୁ ସଠିକ ପ୍ରମାଣ ପତ୍ର ମିଳିନଥିବା ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ରଘୁବାରି ପଞ୍ଚାୟତ ରଘୁବାରି ଗ୍ରାମର ବିଲମ ସୁନା ଓ ପାର୍ବତୀଙ୍କ ୪ ବର୍ଷର ପୁଅ ରିହାନ ସୁନା। ରିହାନଙ୍କ ଜନ୍ମରୁ ପାଟି ଖୋଲୁ ନାହିଁ, କାନକୁ ଶୁଭୁନାହିଁ, ଗୋଡ଼ରେ ଠିଆ ହୋଇ ପାରୁନି କି ହାତରେ ମୁଠାଏ ଖାଇ ପାରୁନଥିବା ବେଳେ ଶଯ୍ୟାଶାୟୀ ରିହାନ ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ମା, ବାପାଙ୍କ କୋଳ ହିଁ ଏକମାତ୍ର ସାହା ଭରସା। ରିହାନଙ୍କ ବାପା ମା ରିହାନଙ୍କ ଉତ୍ତମ ଚିକିତ୍ସା ପାଇଁ ବହୁ ମେଡିକାଲରେ ଦେଖାଇ ଆଣି ନିଃସହାୟ ହୋଇ ଘରେ ବସିଥିବା ବେଳେ ସରକାରଙ୍କ ସହାୟତା ଆଶାରେ ରିହାନର ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ମୁନିଗୁଡାରେ ଆୟୋଜନ ହୋଇଥିବା ଶିବିରକୁ ଯାଇଥିଲେ। ପରିତାପର ବିଷୟ ରିହାନ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିବା ବେଳେ ସେଠାରେ ଡାକ୍ତର ସ୍ଵାସ୍ଥ୍ୟ ପରୀକ୍ଷା କରି ମାତ୍ର ୭୦ ଶତକଡା ପ୍ରମାଣ ପତ୍ର ଦେଇଛନ୍ତି। ଯାହାକୁ ନେଇ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାରଙ୍କ ସହାୟତା ଭେଳିକି ବୋଲି କହିଛନ୍ତି। ସେହିପରି ଅମ୍ବାଦଳା ପଞ୍ଚାୟତ ବଡପଡା ନୂଆ ସାହିର ବେଣୁଧର ଖୋସଲାଙ୍କ ଝିଅ ଭବାନୀ ଖୋସଲା ବୟସ ୧୯ ଜନ୍ମରୁ କଥା ହୋଇ ପାରୁନି, କାନକୁ ସୁଭୁ ନାହିଁ, ମାନସିକ ରୋଗୀ ହୋଇଥିବା ବେଳେ ଦୁଇଟି ହାତ ଗୋଡ ମଧ୍ୟ କାମ ଦେଉନି। ଏହା ପରେ ମଧ୍ୟ ଡାକ୍ତର ସ୍ଵାସ୍ଥ୍ୟ ପରୀକ୍ଷା କରି ମାତ୍ର ୪୦ ଶତକଡା ଦେଇ ଜନ୍ମରୁ ଦିବ୍ୟାଙ୍ଗ ଥିବା ଭବାନୀ ଖୋସଲାଙ୍କୁ ପ୍ରତାରଣା କରିଥିବା ତାଙ୍କ ବାପା ବେଣୁଧର ଖୋସଲା ଅଭିଯୋଗ କରିଛନ୍ତି। ସେହିପରି ଅମ୍ବାଦଳା ପଞ୍ଚାୟତ ଇନ୍ଦିରା ସାହି ରାଜିରାମ ବାଥ୍ରା ଓ ଗୁରସ ବାଥ୍ରାଙ୍କ ୩୩ ବର୍ଷର ଝିଅ ଗୁପ୍ତେଶ୍ୱରି ବାଥ୍ରା ଜନ୍ମରୁ କାନକୁ ଶୁଭୁ ନାହିଁ କି ପାଟିରେ କଥା ହୋଇ ପାରୁ ନାହିଁ। ୩୨ ବର୍ଷ ହେଲା ଅଫଲାଇନ ପ୍ରମାଣପତ୍ରରେ ସରକାରୀ ଭତ୍ତା ପାଇ ଆସୁଥିଲା। ଉକ୍ତ ଅପଲାଇନ ପ୍ରମାଣ ପତ୍ରରେ ଗୁପ୍ତେଶ୍ୱରୀଙ୍କୁ ୯୦ ଶତକଡା ଦିବ୍ୟାଙ୍ଗ ପ୍ରମାଣ ପତ୍ର ମିଳିଥିଲା। ପରିତାପର ବିଷୟ ଅଫଲାଇନ ପ୍ରମାଣପତ୍ର ଦ୍ୱାରା ପାଉଥିବା ସହାୟତାକୁ ମୁନିଗୁଡା ବ୍ଲକ ପ୍ରଶାସନ ଦ୍ବାରା ବନ୍ଦ କରାଯାଇଥିବା ବେଳେ ନୂତନ ଅନଲାଇନ ପ୍ରମାଣ ପତ୍ର ପାଇଁ ଉକ୍ତ ହିତାଧିକାରୀଙ୍କୁ ଆଉ ଥରେ ଶିବିରକୁ ଯିବାକୁ ପଡିଲା। ମୁନିଗୁଡା ଶିବିରରେ ଗୁପ୍ତେଶ୍ୱରୀଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସମୟରେ ଗୁପ୍ତେଶ୍ୱରି ଅଭିନୟ କରୁଛି ବୋଲି ଡାକ୍ତର ବାବୁ, ବାବୁଆଣି ମାନେ କହିବା ସହ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଉପହାସ କରିଥିବା ବେଳେ ୧୮ ଶତକଡା ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିବା ଗୁପ୍ତେଶ୍ୱରିର ମା ଗୁରୁସ ବାଥ୍ରା ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି ଏହିଭଳି ଭିନ୍ନକ୍ଷମ ଝିଅ ମାନଙ୍କର ପ୍ରାପ୍ତ ବୟସ ହୋଇ ଯାଇଥିଲେ ସୁଦ୍ଧା ଶତ ପ୍ରତିଶତ ଭିନ୍ନକ୍ଷମ ଯୋଗୁଁ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି। ସେହିପରି ଉକ୍ତ ସାହିର ଆଉ ଜଣେ ବୃଦ୍ଧା ମହିଳା ପୁଷ୍ପ ବାଥ୍ରାଙ୍କ ସମସ୍ୟା ମଧ୍ୟ ସମାନ। ତେବେ ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଏକ ପ୍ରକାର ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି। ଡାକ୍ତରମାନଙ୍କୁ ଲୋକେ ଦ୍ୱିତୀୟ ଭଗବାନ କହୁଥିବା ବେଳେ ସେମାନଙ୍କ ଦ୍ୱାରା ଭିନ୍ନକ୍ଷମଙ୍କୁ ହେଉଥିବା ଉପହାସ କେତେ ଯୁକ୍ତି ଯୁକ୍ତ ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି। ପ୍ରଶାସନ ଭିନ୍ନକ୍ଷମ ଶିବିର ଆୟୋଜନ କରି ଦିବ୍ୟାଙ୍ଗମାନଙ୍କୁ ପ୍ରତାରଣା କରିବା ଘଟଣାରେ ଏବେ ସହ ସହ ଭିନ୍ନକ୍ଷମ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ବେଳେ ଉକ୍ତ ଘଟଣାକୁ ନେଇ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘର ସଂପାଦକ ଅମରେନ୍ଦ୍ର ନାଥ ଦିବ୍ୟାଙ୍ଗମାନଙ୍କୁ ଉପହାସ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏଭଳି ଘଟଣା ବାରମ୍ବାର ଅଭିଯୋଗ ହୋଇ ଆସୁଛି ବହୁ ଦିବ୍ୟାଙ୍ଗ ଭାଇ ଭଉଣୀମାନେ ସରକାରୀ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରାନଗଲେ ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହେବ ଓ ଏହା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଜଣାଇଛନ୍ତି। ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲକ୍ଷ୍ମଣ ରାଉତରାୟଙ୍କୁ ପଚାରିବାରୁ ସରକାରୀ ଗାଇଡଲାଇନସ୍ ହିସାବରେ ଆମର ସ୍ପେଶାଲ ଡାକ୍ତରମାନେ ପରୀକ୍ଷା କରି ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ଅଧିକାଂଶ ଲୋକ ସରକାରଙ୍କ ୩ ହଜାର ଟଙ୍କା ସହାୟତା ପାଇବା ଆଶାରେ ୮୦ ଶତକଡା ପାଇଁ ଆସୁଥିବା କହିଥିବା ବେଳେ ଡ଼ାକ୍ତରମାନେ କିଛି ଯଦି କହିଥିବେ ଓ କୋରାପୁଟ ଯିବା ପାଇଁ କହି ପାରିଥାନ୍ତି ବୋଲି ଜଣାଇଛନ୍ତି। ଯଦି ସେମିତି କେହି ଅଧିକ ଶତକଡା ଭିନ୍ନକ୍ଷମ ପାଇବାରେ ଯୋଗ୍ୟ ରହିଥାନ୍ତି ପରବର୍ତ୍ତୀ ସମୟରେ ଆମର ଯେଉଁ ଭିନ୍ନକ୍ଷମ ଶିବିର ହେବ ସେଠାରେ ଆଉ ଥରେ ପରୀକ୍ଷା କରାଇ ନେବେ ବୋଲି ଜଣାଇଥିଲେ। ଏଠି ପ୍ରଶ୍ନ ଉଠୁଛି ଭିନ୍ନକ୍ଷମଙ୍କୁ ସରକାର ଯଦି ସହାୟତା ରାଶି ଦେବାକୁ କଷ୍ଟ ହେଉଛି ତେବେ ଭିନ୍ନକ୍ଷମ ଶିବିର ଆୟୋଜନ କରି ସେମାନଙ୍କୁ ଦୁର୍ବ୍ୟବହାର ତାଙ୍କ ପରିବାରକୁ ଉପହାସ କରିବା ସହ ପ୍ରତାରଣା କାହିଁକି ବୋଲି ଅଞ୍ଚଳ ବାସୀ ପ୍ରଶ୍ନ କରିଛନ୍ତି।