ଭୁବନେଶ୍ୱର, ୨୨/୦୪: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର ୪ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନ ସହିତ ଏକ ବାଲି ବୋଝେଇ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ପିସିଆର ଭ୍ୟାନର ଡ୍ରାଇଭର ଜଗନ୍ନାଥ ମହାଳି ଓ ପୋଲିସ ଷ୍ଟାଫ୍ ଲୋକନାଥ ଶବର। ଏଥିରେ ଆହତ ହୋଇଥିବା ହୋମଗାର୍ଡ ପବିତ୍ର ମୋହନ ସେଠୀଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଦୁର୍ଘଟଣାରେ ହାଇୱା ଡ୍ରାଇଭରଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ଅଟକ ରଖିବା ସହ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ସେ ନେଇ ତଦନ୍ତ ଆରମ୍ଭ କରିଛି।
୨ ଜଣ ପୋଲିସ୍ କର୍ମଚାରୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।