ପୋପ ଫ୍ରାନ୍ସିସଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ ଦିବସ ପାଳନ

ପୋପଙ୍କ ସମ୍ମାନାର୍ଥେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ

ଭୁବନେଶ୍ୱର, ୨୨/୦୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀ ତଥା ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ଓଡ଼ିଶାରେ ତିନି ଦିନିଆ ଶୋକ ଦିବସ ପାଳନ କରାଯିବ। ଏପ୍ରିଲ ୨୨ ଓ ଏପ୍ରିଲ ୨୩ରେ ଶୋକ ଦିବସ ପାଳନ କରାଯିବ। ଏହା ପରେ ପୋପଙ୍କ ଅନ୍ତିମ ସଂସ୍କାର ଦିନ ମଧ୍ୟ ରାଜ୍ୟରେ ଶୋକ ଦିବସ ପାଳନ କରାଯିବ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସେହିପରି ପୋପ ଫ୍ରାନ୍ସିସଙ୍କ ବିୟୋଗରେ ସାରା ଭାରତରେ ମଧ୍ୟ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଭାରତ ସରକାର ଘୋଷଣା କରିଥିଲେ। ଏପ୍ରିଲ ୨୨ ଓ ୨୩ ତାରିଖ ଏବଂ ଶେଷକୃତ୍ୟ ଦିନ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯିବା ସହ ଯେଉଁ ସବୁ ସ୍ଥାନରେ ଜାତୀୟ ପତାକା ଉଡାଯାଏ, ପୋପଙ୍କ ସମ୍ମାନାର୍ଥେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।