ଭୁବନେଶ୍ୱର, ୨୫/୦୪: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଠିକାଦାର। ମୃତ୍ତିକା ସଂରକ୍ଷଣ ନିରୀକ୍ଷକ ହରିଶ୍ଚନ୍ଦ୍ର ବେଣ୍ଟକରଙ୍କ ସହ ମିଶି ୫୬ ଲକ୍ଷ ୯୩ ହଜାର ୯୫୭ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି ଠିକାଦାର ଲକ୍ଷ୍ମୀଧର ରାଉତରାୟ। ଏ ନେଇ ଭିଜିଲାନ୍ସ ତାଙ୍କୁ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ହାଜର କରିଛି।
ନୂଆପଡ଼ା ଜିଲ୍ଲା ଖରିଆରଠାରେ ଜଳସେଚନ ପ୍ରକଳ୍ପ ଅଧୀନରେ ଚେକ୍ ଡ୍ୟାମ୍ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ଟଙ୍କାକୁ କାର୍ଯ୍ୟରେ ଲଗା ଯାଇନଥିବାର ଖବର ମିଳିବା ପରେ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା। ଏଥିରେ ଅନ୍ୟ ଜଣେ ଠିକାଦାର ଅଭିଳାଷ ମେହେରଙ୍କ ସମ୍ପୃକ୍ତି ଥିବା ମଧ୍ୟ ସୂଚନା ମିଳିଛି। ହରିଶ୍ଚନ୍ଦ୍ର ଓ ଅଭିଳାଷଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭିଜିଲାନ୍ସ।