ଆକ୍ସନ ମୋଡରେ ସେନା: ଲସ୍କର ଟପ୍ କମାଣ୍ଡର ଅଲତାଫ ଲଲ୍ଲୀ ନିପାତ
ଶ୍ରୀନଗରରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ
ଭାଙ୍ଗିଲା ଦୁଇ ସ୍ଥାନୀୟ ଆତଙ୍କବାଦୀଙ୍କ ଘର
ନୂଆଦିଲ୍ଲୀ, ୨୫/୦୪: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡରେ ଭାରତୀୟ ସେନା। ଯବାନଙ୍କ ଗୁଳିରେ ଟଳିଲା ଟପ୍ କମାଣ୍ଡର। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳି ବିନିମୟ ହେବା ଫଳରେ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ଟପ୍ କମାଣ୍ଡର ନିହତ ହୋଇଛି। ଏଲଇଟି କମାଣ୍ଡର ଅଲତାଫ ଲଲ୍ଲୀକୁ ନିପାତ କରିଛନ୍ତି ଯବାନ। ଏହି ଗୁଳି ବିନିମୟରେ ଅନ୍ୟ ଜଣେ ଆତଙ୍କୀ ଆହତ ହୋଇଥିବା ବେଳେ ଦୁଇ ଯବାନ ମଧ୍ୟ ଆହତ ହୋଇଛନ୍ତି।
ଗତ ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇବା ପରେ ଆତଙ୍କୀ ମାନଙ୍କୁ ନିପାତ କରିବା ପାଇଁ ମିଶନ ମୋଡରେ ଅଛି ଭାରତୀୟ ସେନା। ଏହି ପରିପ୍ରେକ୍ଷୀରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶ୍ରୀନଗର ଗସ୍ତ କରିଛନ୍ତି।
ଅନ୍ୟପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜମ୍ମୁ-କାଶ୍ମୀରର ଦୁଇ ସ୍ଥାନୀୟ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛି ସେନା। ଆତଙ୍କୀ ଆଦିଲ ଠୋକର ଓରଫ ଆଦିଲ ଗୁରିର ଘରକୁ ଭାଙ୍ଗି ଦିଆଯାଇଛି। ଆଦିଲ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ଅଟେ। ସେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ପ୍ରଶିକ୍ଷଣ ନେବା ପାଇଁ ୨୦୧୮ରେ ପାକିସ୍ତାନ ଗସ୍ତ କରିଥିଲା। ଗତ ବର୍ଷ ଜମ୍ମୁକାଶ୍ମୀର ପ୍ରତ୍ୟାବର୍ତ୍ତନ କରି ଆତଙ୍କୀ କାର୍ଯ୍ୟକଳାପରେ ଜଡିତ ରହୁଥିଲା। ସେହିପରି ଅନ୍ୟ ଜଣେ ଆଶିଫ ଶେଖର ଘରକୁ ମଧ୍ୟ ବୁଲଡୋଜରରେ ଭାଙ୍ଗି ଦେଇଛନ୍ତି ସୁରକ୍ଷାକର୍ମୀ। ତ୍ରାଲରେ ଥିବା ଘର ଭଙ୍ଗା ଯାଇଛି। ଆଦିଲ ଓ ଆଶିଫ ପହଲଗାମ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ସହ ସ୍ଥାନୀୟ ଅଞ୍ଚଳ ବିଷୟରେ ସୂଚନା ଯୋଗାଉଥିଲା ବୋଲି ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା।