ଭୁବନେଶ୍ୱର, ୧୩/୦୫: ଓଡ଼ିଶାକୁ ଛୁଇଁବ ବାତ୍ୟା। ଆସନ୍ତା ମେ ୨୪ ରୁ ୨୬ ତାରିଖ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଶକ୍ତି’। ଏ ନେଇ ପୂର୍ବାନୁମାନ କରିଛି ବାଂଲାଦେଶ ପାଣିପାଗ ବିଭାଗ। ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମେ ୧୬ ରୁ ୧୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଯାହା ପରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ମେ ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟାରେ ପରିଣତ ହେବ। ଏହା ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବାଂଲାଦେଶର ଚତ୍ତୋଗ୍ରାମ ଏବଂ ଓଡିଶା ଉପକୂଳରେ ବାତ୍ୟାର ପ୍ରଭାବ ପଡ଼ିବ। ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଡିଭିଜନରେ ମଧ୍ୟ ପ୍ରଭାବ ପକାଇପାରେ। ଏଣୁ ବାଂଲାଦେଶର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି। ରଙ୍ଗପୁର, ଦିନଜପୁର, ବୋଗ୍ରା, ଟାଙ୍ଗାଇଲ, ମାଇମେନସିଂହ ଏବଂ ସିଲହଟରେ ମଧ୍ୟ ବାତ୍ୟା ପ୍ରଭାବ ପଡ଼ିବା ସମ୍ଭାବନା ହେତୁ ଏହି ବନ୍ଦରଗୁଡିକୁ ସତର୍କ ସଙ୍କେତ-୧ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟାର ନାଁ ‘ଶକ୍ତି’ ରଖାଯାଇଛି। ଶ୍ରୀଲଙ୍କାର ପ୍ରସ୍ତାବ ଅନୁସାରେ ଏହି ନାଁ ରଖାଯାଇଛି।