ପୁରୀ, ୨୬/୦୫: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସହଜପୁର ଗାଁରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଘଟଣା ସାମନାକୁ ଆସିଛି। ଏପରିକି ଅଭିଯୁକ୍ତ ଯୁବକ ପୀଡ଼ିତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଉଦ୍ୟମ କରିଛି। ଅଭିଯୁକ୍ତ ଯୁବକ ଧରା ପଡ଼ିବା ପରେ ବି ଫେରାର ହୋଇଯିବାରେ ସକ୍ଷମ ହୋଇଛି।
ମିଳିଥିବା ସୂଚନା ମୁତାବକ, ରବିବାର ମଧ୍ୟାହ୍ନରେ ପୀଡ଼ିତା ନିଜ ଚାଷ ଜମିକୁ ଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଜଣକ ଏହି କାଣ୍ଡ ଘଟାଇଥିଲା। ଏପରିକି ଅଭିଯୁକ୍ତ ଜଣକ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ମଧ୍ୟ କରିଥିଲା। କିନ୍ତୁ ଯୁବତୀର ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ। ହେଲେ, କୌଣସିମତ୍ତେ ଅଭିଯୁକ୍ତ ଖସି ପଳାଇବାରେ ସକ୍ଷମ ହୋଇଛି। ପୀଡ଼ିତାଙ୍କ ବାପା ପିପିଲି ଥାନାରେ ଅଭିଯୋଗ କରିବା ପରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏକ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।