ଭୁବନେଶ୍ୱର, ୨୮/୦୫:ଆମ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖଣ୍ଡଗିରି ଛକରେ ଏହି ଦୁର୍ଘଟଣା ଘଟିଛି। ବସ୍ ନମ୍ବର OD33U7122 ରାତି ପ୍ରାୟ ୮ଟାବେଳେ ଆଇଗିଣିଆରୁ ଖଣ୍ଡଗିରି ଅଭିମୁଖେ ଆସୁଥିଲା। ଖଣ୍ଡଗିରି ଛକରେ ସାଇକେଲ ଯୋଗେ ଯାଉଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା।
ବୃଦ୍ଧ ଜଣକ ସ୍ଥାନୀୟ ଏକ ବାଇକ ସୋ ରୁମରେ ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିବା ବେଳେ ସାଇକେଲ ଯୋଗେ ଭୀମଟାଙ୍ଗୀ ସ୍ଥିତ ଘରକୁ ଫେରୁଥିଲେ। ହେଲେ ପଛ ପଟୁ ତୀବ୍ର ବେଗରେ ଆସୁଥିବା ଆମ ବସ୍ ଧକ୍କା ଦେଇ କିଛି ବାଟ ଯାଏଁ ଘୋଷାଡି ନେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।
ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିବା ସହ ଏକାଧିକ ଆମ ବସକୁ ଭାଙ୍ଗିରୁଜି ଦେଇଥିଲେ। ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ପରେ ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା।
କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବୃଦ୍ଧ ଜଣକ ବସ୍ ଚକ ତଳେ ଚାପି ହୋଇଯିବା ପରେ ନିକଟସ୍ଥ ଲୋକେ ଚିତ୍କାର କରିଥିଲେ ମଧ୍ୟ ଡ୍ରାଇଭର ସେମାନଙ୍କ କଥା ଶୁଣିନଥିଲେ। କିଛି ଲୋକ ତାଙ୍କ ଆଡ଼କୁ ଦୌଡ଼ି ଆସିବା ପରେ ବସଟି ଅଟକି ଯାଇଥିଲା। କିନ୍ତୁ ସେତେବେଳକୁ ଉକ୍ତ ବୃଦ୍ଧଙ୍କ ମୃତ୍ୟୁ ହୋଇସାରିଥିଲା ଏବଂ ଅନ୍ୟ ଜଣେ ଆହତ ହୋଇଥିଲେ।