ଭୁବନେଶ୍ବର : ଆସନ୍ତା ନଭେମ୍ବର ୮ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ କଟକ ବାଲିଯାତ୍ରା ଆୟୋଜିତ ହେବ। ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ବା ଏନ୍ଜିଟିର ନିର୍ଦେଶାବଳୀ ଅନୁଯାୟୀ ଯାତ୍ରା ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବାରୋପ କରାଯାଇଛି।
ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ବୈଠକ ଅନୁଷ୍ଠିତ ହୋଇଥିଲା। ବାଲିଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା, ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ବାସ୍ଥ୍ୟସେବା ଓ ଆଇନ ଶୃଙ୍ଖଳା ଆଦି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଯାତ୍ରା ପଡ଼ିଆରେ ଅଧିକ ସଂଖ୍ୟାରେ ପାନୀୟ ଜଳ ଟ୍ୟାଙ୍କ, ଅସ୍ଥାୟୀ ବାୟୋ ଟଏଲେଟ୍ ଆଦି ଲଗାଇବାକୁ କଟକ ପୌର ପରିଷଦ ଓ ଗୃହ ଓ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି।