ଅନୁକମ୍ପାମୂଳକ ଦେୟର ସଂଶୋଧନ ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ବନ୍ୟଜନ୍ତୁଙ୍କ ଦ୍ଵାରା ମଣିଷ ମୃତ୍ୟୁବରଣ କଲେ ଏଣିକି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ
ଭୁବନେଶ୍ଵର, ୨୧/୦୬: ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବନ୍ୟଜନ୍ତୁଙ୍କ ଦ୍ଵାରା କ୍ଷୟକ୍ଷତି କ୍ଷେତ୍ରରେ ଅନୁକମ୍ପାମୁଳକ ଦେୟର ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି। ବନ୍ୟପ୍ରାଣୀ (ସୁରକ୍ଷା) (ଓଡିଶା) ନିୟମ, ୧୯୭୪ ର ନିୟମ ଅନୁସାରେ, ବନ୍ୟଜନ୍ତୁଙ୍କ ଦ୍ୱାରା ମଣିଷ ମୃତ୍ୟୁବରଣ କଲେ ଏଣିକି ଅନୁକମ୍ପାମୁଳକ ସହାୟତା ୧୦ ଲକ୍ଷ ଟଙ୍କା ମିଳିବ। ନିୟମ ଅନୁଯାୟୀ ବନ୍ୟଜନ୍ତୁଙ୍କ ଦ୍ୱାରା ଘରର ଆଂଶିକ କ୍ଷତି ପାଇଁ ୧୦ ହଜାର ଟଙ୍କା; ରୋଷେଇ ଘର, ଧାନ ଗୋଦାମ, ଗୋରୁ ଗୁହାଳ, ଛେଳି ଆଶ୍ରୟସ୍ଥଳ ଇତ୍ୟାଦିର କ୍ଷତି ଘଟିଲେ ୩ ହଜାର ଟଙ୍କା ଏବଂ ପକ୍କା ପାଚେରୀ କିମ୍ବା କମ୍ପାଉଣ୍ଡ କାନ୍ଥର କ୍ଷତି ପାଇଁ ପ୍ରତି ରନିଂ ମିଟର ପିଛା ୫ ହଜାର ଟଙ୍କା ଅନୁକମ୍ପାମୁଳକ ସହାୟତା ଦେୟ ଯାହାକି ସର୍ବାଧିକ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ। ଘରର ସମ୍ପୂର୍ଣ୍ଣ କ୍ଷତି ହେଲେ “ଅନ୍ତୋଦୟ ଗୃହ ଯୋଜନା”ରେ ଗୋଟିଏ ଘର କିମ୍ବା ସମତୁଲ୍ୟ ଆର୍ଥିକ କ୍ଷତିପୂରଣ ମିଳିବ। ଅନ୍ୟାନ୍ୟ ପ୍ରକାରର ନଷ୍ଟ ବା କ୍ଷୟକ୍ଷତି ପାଇଁ ଅନୁକମ୍ପାମୂଳକ ସହାୟତା ଦେୟ ଅପରିବର୍ତ୍ତିତ ରହିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।