ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ତୃତୀୟ ବୈଠକ
ଉଦାର ହୃଦୟରେ ଶ୍ରମିକମାନଙ୍କ ସମସ୍ୟା ବୁଝି ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କର: ଶ୍ରମମନ୍ତ୍ରୀ
ଭୁବନେଶ୍ବର, ୨୩/୦୬: ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ତୃତୀୟ ବୈଠକ ସ୍ଥାନୀୟ ଖାରବେଳ ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ତଥା ବୋର୍ଡର ଅଧ୍ଯକ୍ଷ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଅଧ୍ଯକ୍ଷତା କରି କହିଲେ ଯେ ଶ୍ରମ ବିନା ସମୃଦ୍ଧି ଅସମ୍ଭବ । ଶ୍ରମିକମାନେ ହେଉଛନ୍ତି ଆମ ଦେଶର ଗୁରୁତ୍ଵପୂର୍ଣ୍ଣ ଅଂଶ, ଦେଶର ମୂଳଦୁଆ, ଦେଶ ନିର୍ମାଣର ମେରୁଦଣ୍ଡ, ପ୍ରକୃତ ରାଷ୍ଟ୍ରନିର୍ମାତା । ସେମାନଙ୍କୁ ଅବହେଳା କରି ଦେଶ ଅଗ୍ରଗତି କରିପାରିବ ନାହିଁ । ଶ୍ରମିକକୁ ମର୍ଯ୍ୟାଦା ଦେଲେ ହିଁ ଶ୍ରମର ଗୌରବ ମିଳିଥାଏ । ଓଡ଼ିଶା ହେଉଛି ଏକ ଶ୍ରମିକ ବହୁଳ ରାଜ୍ୟ ଏବଂ ଓଡ଼ିଶାର ଅଭିବୃଦ୍ଧି, ଅର୍ଥନୈତିକ ଓ ସାମଗ୍ରିକ ଉନ୍ନତି ଦିଗରେ ଶ୍ରମିକ ଭାଇଭଉଣୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ । ସେବା, ସମର୍ପଣ ଓ ସୁଶାସନର ବିଚାରଧାରା ଆଧାରରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ସମାଜରେ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ମଧ୍ୟ ଯେପରି ସମସ୍ତ ସରକାରୀ ସୁବିଧା ଓ ସରକାରୀ ଯୋଜନା ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ବାରୋପ କରାଯାଉଛି । ବର୍ତ୍ତମାନର ରାଜ୍ୟ ସରକାର ଗରିବ ଓ ଶ୍ରମିକଙ୍କ ପାଇଁ ସମ୍ବେଦନଶୀଳ ସରକାର । ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମଜୀବି ଭାଇଭଉଣୀମାନଙ୍କର ସମସ୍ୟାଗୁଡିକ ବାସ୍ତବ କ୍ଷେତ୍ରରେ ହୃଦୟଙ୍ଗମ କରି ସେଗୁଡ଼ିକର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ଓ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଓ ଆଇନଗତ ତଥା ସାମାଜିକ ସୁରକ୍ଷା ଓ ଅଧିକାର ପ୍ରଦାନ ଦିଗରେ ନିଷ୍ଠାପର ଓ ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖୁବାକୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆଜି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ଉପାଧ୍ଯକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ କହିଲେ ଯେ ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଇତିମଧ୍ୟରେ ରାଜ୍ୟ ସରକାର ଶ୍ରମିକ କଲ୍ୟାଣ ବୋର୍ଡକୁ ପୁନର୍ଗଠନ କରିଛନ୍ତି । ମାଲିକ, ଶ୍ରମିକ ସଂଘ ପ୍ରତିନିଧୂମାନେ ନିଷ୍ଠାପର ଭାବରେ କାମ କରି ଏହି ବୋର୍ଡରେ ଥିବା ବିଭିନ୍ନ ଯୋଜନାର ସୁଫଳ ନେବା ପାଇଁ କାର୍ଯ୍ୟ କରିବା ସହ ଏ ଦିଗରେ ଶ୍ରମିକମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଉପସ୍ଥିତ ଥିବା ଶିଳ୍ପାନୁଷ୍ଠାନ, କାରଖାନା ମାଲିକ ଓ କର୍ତ୍ତୃପକ୍ଷମାନଙ୍କୁ ଉଚିତ୍ ସମୟରେ ଶ୍ରମିକମାନଙ୍କ ଦେୟ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ ।
ଶ୍ରମ ଆଯୁକ୍ତ, ଓଡ଼ିଶା ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସ୍ବାଗତ ଭାଷଣ ଦେବା ସହ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ଆଭିମୁଖ୍ୟ ତଥା କାର୍ଯ୍ୟକାରିତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଦ୍ଵିତୀୟ ବୋର୍ଡ ବୈଠକ ପରେ, ଶ୍ରମ ନିର୍ଦ୍ଦେଶାଳୟ ଏବଂ କାରଖାନା ଏବଂ ବଏଲର ନିର୍ଦ୍ଦେଶାଳୟ ଦ୍ବାରା ପ୍ରଚଳିତ ବିଭିନ୍ନ ଶ୍ରମ ଆଇନ ଅନୁଯାୟୀ ସ୍ୱୟଂଚାଳିତ ସେବା ପ୍ରଦାନ ପାଇଁ ଶ୍ରମ ଏବଂ ESI ବିଭାଗର ପରିଶ୍ରମ ପୋର୍ଟାଲ (“pareshram-labour.odisha.gov.in”) ବିକଶିତ କରାଯାଇଛିI OLWF ଆଇନ ଅନୁଯାୟୀ କୋଡ୍ ଆବଣ୍ଟନ / ୟୁନିକ୍ ଆଇଡି (ପଞ୍ଜିକରଣ) (ଫର୍ମ-A), ପରିବର୍ତ୍ତନର ସୂଚନା (ସଂଶୋଧନ) (ଫର୍ମ-B), ବନ୍ଦ ର ସୂଚନା (ବାଜିଲ) (ଫର୍ମ-C) ଓ ବାର୍ଷିକ ଅବଦାନ ବା ଦେୟ (ଫର୍ମ-F) ଆଦି ସେବା ପରିଶ୍ରମ ପୋର୍ଟାଲ ମାଧ୍ୟମରେ ପ୍ରଦାନ କରାଯାଉଛି । ଓଡ଼ିଶା ଶ୍ରମ କଲ୍ୟାଣ ପାଣ୍ଠି ନିୟମାବଳୀ, ୨୦୧୫ର ନିୟମ-୫ ଅନୁଯାୟୀ ଅନାଦେୟ ଜମା ଏବଂ ଜରିମାନା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ନିୟମ-୬ ଅନୁଯାୟୀ ନିଯୁକ୍ତିଦାତାଙ୍କ ଦ୍ବାରା ଜମା କରାଯିବାର ବ୍ୟବସ୍ଥା ଅଛି । ପ୍ରତି କର୍ମଚାରୀଙ୍କ ଅଂଶ @20/- ଏବଂ ପ୍ରତି ନିଯୁକ୍ତିବାତାଙ୍କ ଅଂଶ 40/- ଟଙ୍କା ହେଉଛି ପ୍ରମୁଖ ଉତ୍ସା ଏପର୍ଯ୍ୟନ୍ତ, ବୋର୍ଡର ପାଣ୍ଠିରେ ପ୍ରାୟ 34.48 କୋଟି ଟଙ୍କା ଅଛି।
ଓଡ଼ିଶା ଶ୍ରମ କଲ୍ୟାଣ ପାଣ୍ଠି ଆଇନ, ୨୦୦୫ର ଧାରା ୧୨ ଅନୁଯାୟୀ, କଲ୍ୟାଣକାରୀ ଯୋଜନା ଉପରେ ଖର୍ଚ୍ଚ ବହନ କରିବା ପାଇଁ ବୋର୍ଡର ପାଣ୍ଠି ବ୍ୟବହାର କରାଯିବ । ତଦନୁସାରେ, ବୋର୍ଡ ଅବଦାନକାରୀ କର୍ମଚାରୀଙ୍କ ମେଧାବୀ ପିଲାମାନଙ୍କୁ ୧ ଲକ୍ଷ ଟଙ୍କାର ଏକକାଳୀନ ଛାତ୍ରବୃରି ପ୍ରଦାନ କରିବା ପାଇଁ ଛାତ୍ରବୃତ୍ତି ଯୋଜନା କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛି, ଯାହା ଦ୍ବାରା ସେମାନେ ଭାରତର କିଛି ପ୍ରତିଷ୍ଠିତ ସରକାରୀ ପ୍ରତିଷ୍ଠାନରେ IT, NIT, IIM, IISC, IISER, NISER, AIIMS, MBBS ଏବଂ BDS ଭଳି ସରକାରୀ ମେଡିକାଲ କଲେଜରେ ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରରେ ଗୁଣାତ୍ମକ ବୈଷୟିକ ଏବଂ ବୃଭିଗତ ପାଠ୍ୟକ୍ରମ ଗ୍ରହଣ କରିବାକୁ ଉତ୍ସାହିତ ହେବେ । ଜାତୀୟ ସ୍ତରର ସାଧାରଣ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ପ୍ରବେଶ ପାଇଁ ଜାତୀୟ ଖ୍ୟାତି ଥିବା ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନରେ 50,000/- ଟଙ୍କା, ସ୍ନାତକ ସ୍ତରରେ କିମ୍ବା ତା’ଠାରୁ ଅଧିକ ଯେକୌଣସି ପାଠ୍ୟକ୍ରମ କରୁ ଥିବା ଅକ୍ଷମ ପିଲାମାନଙ୍କୁ ୧୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କାର ଏକକାଳୀନ ଆର୍ଥିକ ସହାୟତା, ଦଶମ ବୋର୍ଡ କିମ୍ବା ଦ୍ବାଦଶ ବୋର୍ଡ ପରୀକ୍ଷାରେ ୯୦% କିମ୍ବା ତା’ଠାରୁ ଅଧୂକ ନମ୍ବର ହାସଲ କରିଥିବା ପିଲାମାନଙ୍କୁ ୧୦,୦୦୦ ଟଙ୍କା ଏବଂ ତା’ଠାରୁ ଅଧିକ ଟଙ୍କାର ଏକକାଳୀନ ଆର୍ଥିକ ପ୍ରୋତ୍ସାହନ, ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୫୦,୦୦୦ ଟଙ୍କା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ପ୍ରଦାନ ପ୍ରସ୍ତାବ ଉପରେ ତୃତୀୟ ବୈଠକରେ ଆଲୋଚନା କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ନିର୍ଦ୍ଦେଶକ, ଇ.ଏସ୍.ଆଇ ଶ୍ରୀମତୀ ମଧୁମିତା ନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ରାଜେଶ ଅଗ୍ରୱାଲ, ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଗଣ, ଶ୍ରମ ନିର୍ଦ୍ଦେଶାଳୟର ଯୁଗ୍ମ ଶ୍ରମ ଆୟୁକ୍ତ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଅର୍ଥ ବିଭାଗ ସଚିବଙ୍କ ପ୍ରତିନିଧ ଭାବେ ବିଭାଗୀୟ ଅତିରିକ୍ତ ସଚିବ, ଶିଳ୍ପ ବିଭାଗ ସଚିବଙ୍କ ପ୍ରତିନିଧ ରୂପେ ବିଭାଗୀୟ ସ୍ୱତନ୍ତ୍ର ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ସଚିବଙ୍କ ପ୍ରତିନିଧୂ ରୂପେ ଅନୁସୂଚିତ ଜାତି ନିର୍ଦ୍ଦେଶକ, ମହିଳା ଓ ଶିଶୁ ବିକାଶ ସଚିବଙ୍କ ପ୍ରତିନିଧ ରୂପେ ବିଭାଗୀୟ ଅତିରିକ୍ତ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବଙ୍କ ପ୍ରତିନିଧ ଭାବେ ବିଭାଗୀୟ ଅତିରିକ୍ତ ସଚିବ, ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ପ୍ରତିନିଧ ଭାବେ ବିଭାଗୀୟ ଉପ ସଚିବ, ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ସଚିବଙ୍କ ପ୍ରତିନିଧ ରୂପେ ଅତିରିକ୍ତ ନିର୍ଦ୍ଦେଶକ, ନିୟୋଜନ ନିର୍ଦ୍ଦେଶକ, କର୍ମଚାରୀ ରାଜ୍ୟ ବୀମା ଯୋଜନାର ନିର୍ଦ୍ଦେଶକ, ନାଲ୍ କୋର ମାନବ ସମ୍ଭଳ ନିର୍ଦ୍ଦେଶକ, ଇଙ୍କୋ କାରଖାନା ପରିଚାଳକ, ଟାଟା ଷ୍ଟିଲ୍ କଳିଙ୍ଗ ନଗରର ଉପାଧ୍ୟକ୍ଷ, ଇନ୍ଫୋସିସ୍ର ଉନ୍ନୟନ କେନ୍ଦ୍ର ମୁଖ୍ୟ, ଜେକେ ପେପର ଲିମିଟେଡ୍ର ମୁଖ୍ୟ, ଆପଲୋ ହସ୍ପିଟାଲର ଉପ ସାଧାରଣ ପରିଚାଳକ, ଜିନ୍ଦଲ ଷ୍ଟିଲ୍ର କର୍ପୋରେଟ୍ ବ୍ୟାପାର ଉପାଧ୍ୟକ୍ଷ, ଆଇଏଟିୟୁସିର ଓଡ଼ିଶା ଶାଖା ସଭାପତି ଓ ସମ୍ପାଦକ, ହିନ୍ଦୁ ମଜଦୁର ସଭାର ଓଡ଼ିଶା ଶାଖାର ସଭାପତି, ସିଆଇଟିୟୁର ସଭାପତି, ଏଆଇସିସିଟିୟୁର ଓଡ଼ିଶା ଶାଖା ସାଧାରଣ ସମ୍ପାଦକ, ଏଆଇୟୁଟିୟୁସି ଓଡ଼ିଶା ଶାଖାର ସମ୍ପାଦକ ଯୋଗଦେଇ ଶ୍ରମିକ କଲ୍ୟାଣ ଦିଗରେ ବହୁ ଉପାଦେୟ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ ।
ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନୀତି ରଞ୍ଜନ ସେନ୍ ଧନ୍ୟବାଦ ଅର୍ପଣ କରିଥିଲେ ।