ନୂଆପଡ଼ା, ୦୩/୦୭: ଅବ୍ୟବସ୍ଥାରେ ଲିଆଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ରୋଗୀ ସେବା। ରୋଗୀଙ୍କୁ ଇଞ୍ଜେକସନ ଦେଉଛନ୍ତି ସିକ୍ୟୁରିଟି ଗାର୍ଡ, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ।
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଲିଆଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଜୀବନକୁ ବାଜି ଲଗାଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ଅଭିଯୋଗ ହେଉଛି। ଜଣେ ରୋଗୀଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରର ସିକ୍ୟୁରିଟି ଗାର୍ଡ ଇଞ୍ଜେକସନ ଦେଇ ଜାଣି ନ ଥିବା ବେଳେ ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦ ବୋବାଳି କରୁଥିବା ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଥିଲା।
ପ୍ରକାଶ ଥାଉ କି, ଗଡରାମାଳ ଗ୍ରାମର ଜନୈକ ମହିଳା ନିଜ ବାପ ଘରକୁ ଯାଇ ଥିବା ବେଳେ ସେଠାରେ ମସ୍ତିସ୍କ ଜ୍ଵରରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଯାଇଥିଲେ। ହେଲେ ସେଠାରେ ଥିବା ଫାର୍ମାସିଷ୍ଟ ମନ୍ମଥ ସିଂ ସ୍ଵାସ୍ଥ୍ୟ କେନ୍ଦ୍ରର ସିକ୍ୟୁରିଟି ଗାର୍ଡ ଗଣପତି ବାଗକୁ ଇଞ୍ଜେକସନ ଦେବା ପାଇଁ କହିବାରୁ ସେ ରୋଗୀଙ୍କୁ ଇଞ୍ଜେକସନ ଦେଇଥିଲେ। ହେଲେ ଶରୀରର ଯେଉଁ ସ୍ଥାନରେ ଦେବା କଥା ସେହି ଜାଗାରେ ନ ଦେଇ ଅଲଗା ଜାଗାରେ ଇଞ୍ଜେକସନ ଲାଗିବାରୁ ରୋଗୀ ଜଣକ ଯନ୍ତ୍ରଣାରେ ଛଟ ପଟ ହୋଇ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଗଡି ପଡ଼ିଥିଲେ।
ଏଭଳି ସିକ୍ୟୁରିଟି ଗାର୍ଡ ହାତରେ ରୋଗୀ ସେବା ଯୋଗାଇବା ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ବେଳେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂପର୍କରେ ସିକ୍ୟୁରିଟି ଗାର୍ଡ ଗଣପତି ବାଗଙ୍କୁ ପଚାରିବାରୁ ହସ୍ପିଟାଲ ବନ୍ଦ ହେବାକୁ ଯାଉଥିଲା। ତେଣୁ ସେ ରୋଗୀଙ୍କୁ ଦେଖି ଇଞ୍ଜେକସନ ଦେଇଥିବା କହିଥିଲେ। ସେହିପରି ଫାର୍ମାସିଷ୍ଟ ମନ୍ମଥ ସିଂଙ୍କୁ ପଚାରିବାରୁ ଇଞ୍ଜେକସନ ଷ୍ଟାଫ ନର୍ସ ଦେବା କଥା କିନ୍ତୁ ଭୁଲରେ ହେଇ ଯାଇଛି ବୋଲି କହିଛନ୍ତି। ତେବେ ଏଭଳି ଏକ ଅସାଧାରଣ କାମ ଜଣେ ସିକ୍ୟୁରିଟି କରିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ ଯେ, ସିନାପାଲି ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଲିଆଡ ସ୍ଵାସ୍ଥ୍ୟ କେନ୍ଦ୍ର ଅବସ୍ଥିତ। ଏହି ସ୍ଵାସ୍ଥ୍ୟ କେନ୍ଦ୍ରରେ ମଖାପଦର ଗ୍ରାମପଞ୍ଚାୟତ ଓ ଗଣ୍ଡାବାହାଲି ସମେତ ପଡୋଶୀ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ହେଲେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀମାନେ ହଇରାଣ ହେବା ସହ ଉଚିତ୍ ସ୍ଵାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ନିୟମ ଅନୁସାରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ମହିଳା ସ୍ଵାସ୍ଥ୍ୟ କର୍ମୀ, ୱାର୍ଡ, ଆଟେଣ୍ଡାଣ୍ଟ, ଷ୍ଟାଫ ନର୍ସ (ନର୍ସିଂ ଅଫିସର) ରହିବା କଥା। ହେଲେ ଏଠାରେ ପଦବୀ ଖାଲି ପଡ଼ିଛି। ତେବେ କିଭଳି ରୋଗୀ ସେବା ହେଉଥିବ ଅନୁମାନ କଲେ ବୁଝା ପଡୁଛି।
ଏହି ଅଞ୍ଚଳ ଏକ ବଣ ପାହାଡ ଘେରା ଅଞ୍ଚଳରେ ଅବସ୍ଥିତ ଥିବା ବେଳେ ବର୍ତ୍ତମାନ ବର୍ଷା ଋତୁ ସମୟରେ ଅନେକ ପ୍ରକାର ରୋଗର ଶୀକାର ହେଉଥିବାରୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ଆବଶ୍ୟକ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ ଦୂରଦୁରାନ୍ତ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏ ସଂପର୍କରେ ନୂଆପଡ଼ା ଜିଲ୍ଲାପାଳଙ୍କୁ ପଚାରିବାରୁ ସିନାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ। ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିବା ସହ ଜନସାଧାରଣ ମଧ୍ଯ ଏ ଦିଗରେ ସଚେତନ ହେବା କଥା ବୋଲି ପ୍ରକାଶ କରିଥିଲେ।