ବାଲେଶ୍ଵର କେବେ ହେବ ମହାନଗର ନିଗମ? ପ୍ରଶ୍ନ କଲେ ନବଜ୍ୟୋତି

ବାଲେଶ୍ୱରକୁ ମହାନଗର ନିଗମ ମାନ୍ୟତା ସହ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ପ୍ରଦାନ ପାଇଁ ଦାବି

ଭୁବନେଶ୍ବର,୪l୬ : ଓଡିଶା ସରକାର ଆଜି ପୁରୀ ସହରକୁ ମହାନଗର ନିଗମ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟ ସରକାର ପୂର୍ବରୁ ଉପକୂଳ ଓଡିଶାର ଭୁବନେଶ୍ବର, କଟକ ଓ ପଶ୍ଚିମ ଓଡିଶାର ସମ୍ବଲପୁର ଓ ରାଉରକେଲା ସମେତ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହରକୁ ମହାନଗର ନିଗମର ମାନ୍ୟତା ଦେଇଛନ୍ତି । ହେଲେ ଉତ୍ତର ଓଡିଶାର ପ୍ରମୁଖ ସାଂସ୍କୃତିକ ତଥା ବାଣିଜ୍ୟକ କେନ୍ଦ୍ର ଭାବେ ପରିଚିତ ବାଲେଶ୍ଵର ସହର ପ୍ରତି ବିଜେପିର ଡବଲ ଇଞ୍ଜିନ ସରକାରଙ୍କ ବୈମାତୃକ ମନୋଭାବ କଣ ପାଇଁ ବୋଲି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏହା ପୂର୍ବରୁ ବାଲେଶ୍ୱରକୁ ମହାନଗର ନିଗମ ଭାବେ ଘୋଷଣା ପାଇଁ ନବୀନ ପଟ୍ଟନାୟକ ସରକାର ଅମଳରେ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ବିଜେଡି ସରକାର ଏଥିପ୍ରତି ଅବହେଳା କରିଥିଲା l ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝଙ୍କୁ ବାଲେଶ୍ୱରକୁ ମହାନଗର ନିଗମ ଭାବେ ଘୋଷଣା କରିବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ I  ପୁରୀକୁ ମହାନଗର ନିଗମ ଘୋଷଣା କରି ଥିବାରୁ ସେ ଏହାକୁ ସ୍ୱାଗତ କରିଛନ୍ତି, କିନ୍ତୁ ବାଲେଶ୍ୱର ପ୍ରତି ଅବହେଳା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ପୁରୀ ଦଳାଚକକଟା ଘଟଣାରେ ରାଜ୍ୟ ସରକାର ନିଜର ଅପରାଗତକୁ ଲୁଚେଇବାକୁ ଯାଇ ଏଭଳି ତରବରିଆ ନିଷ୍ପତି ନେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଆଜି ମତବ୍ୟକ୍ତ କରିଛନ୍ତି । ରାଜ୍ୟର ଷଷ୍ଠ ମହାନଗର ନିଗମ ହେବ ପୁରୀ। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷ ସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୁରୀ ସହର ଏବଂ ଆଖପାଖ ଗ୍ରାମପଞ୍ଚାୟତଗୁଡ଼ିକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ଏହାଦ୍ବାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ୭ରୁ ୮ଗୋଟି ଗ୍ରାମପଞ୍ଚାୟତକୁ ସାମିଲ କରାଯିବ, ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ। ଆସନ୍ତାକାଲିଠାରୁ ଏ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ବାଲେଶ୍ୱର ସହର ଏବଂ ଏହାର ଆଖପାଖ  ଅଞ୍ଚଳକୁ ନେଇ ମହାନଗର ନିଗମ ଗଠନ ହେଲେ ସହରର ଉନ୍ନତି ହେବା ସଙ୍ଗେ ସଙ୍ଗେ ସାଧାରଣ ଲୋକ ଉପକୃତ ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ମହାନଗର ବିହୀନ ଉତ୍ତର ଓଡିଶାର ବାଲେଶ୍ୱର ସହରକୁ ମହାନଗର ନିଗମ ମାନ୍ୟତା ସହ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ପ୍ରଦାନ ନିମନ୍ତେ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି l