ବଳଙ୍ଗା ପୀଡ଼ିତାଙ୍କ ପାଇଁ ମୁଁ ଦୁଃଖିତ ଓ ମର୍ମାହତ: ଧର୍ମେନ୍ଦ୍ର ପ୍ରଧାନ
‘ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ସରକାର’
ପୁରୀ, ୧୯/୦୭: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଆଜି ପୂର୍ବାହ୍ଣରେ ଘଟିଥିବା ଘଟଣାକୁ ନେଇ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ପୁରୀ ଜିଲ୍ଲା ବାଳଙ୍ଗା ଅଞ୍ଚଳରେ ଘଟିଥୂବା ଅଭାବନୀୟ ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ। ଏହି ଘଟଣାକୁ ସରକାର ଗମ୍ଭୀରତାର ସହ ନେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏମ୍ସ ହସ୍ପିଟାଲରେ ନାବାଳିକାଙ୍କ ଚିକିତ୍ସା ଚାଲୁଅଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା।”
ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବର ଗାଁରେ ଆଜି ସକାଳେ ନାବାଳିକା ଜଣକ ନିଜ ସାଙ୍ଗ ଘରକୁ କୌଣସି ଚାଲି ଚାଲି ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ନାବାଳିକାକୁ ଏକ ନିର୍ଜନ ସ୍ଥାନକୁ ନେଇ ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ପୀଡ଼ିତା ନାବାଳିକାଙ୍କ ୭୦ ପ୍ରତିଶତ ଶରୀର ପୋଡ଼ି ଯାଇଛି। ଏମ୍ସର ବର୍ଣ୍ଣ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଛି।