ବ୍ରହ୍ମପୁର, ୨୪/୦୭: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ଶିଶୁ ବିଭାଗର ଆସୋସିଏଟ ପ୍ରଫେସର ଭାରତୀ ଦାସଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପିଜି ଛାତ୍ରଛାତ୍ରୀ। ମାନସିକ ନିର୍ଯାତନା ଦେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଡିନ୍ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ଏବଂ ପ୍ରଫେସର ଡାକ୍ତର ଦୁର୍ଗାମାଧବ ଶତପଥୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ବିଭାଗର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ। ସମାଧାନ ନ ହେଲେ ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ରୋଗୀ ଚିକିତ୍ସାରେ ଯୋଗ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଏମକେସିଜି କର୍ତ୍ତୃପକ୍ଷ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିଛନ୍ତି। ଘଟଣାର ତଦନ୍ତ କରାଯିବ ଓ ଏହା ପରେ କାର୍ଯ୍ୟାନୁଷ୍ଠାନ ନିଆ ଯିବା ନେଇ ଡିନ୍ ସୂଚନା ଦେଇଛନ୍ତି। ବାରମ୍ବାର ଏପରି କାର୍ଯ୍ୟକଳାପ ଦ୍ୱାରା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବାତାବରଣ ପ୍ରଭାବିତ ହୋଇଛି। ୱାର୍ଡରେ ରୋଗୀଙ୍କ ଚିକିତ୍ସା ବେଳେ ସମ୍ପୃକ୍ତ ଆସୋସିଏଟ ପ୍ରଫେସର ରୋଗୀଙ୍କ ପରିବାର ଓ ସମ୍ପର୍କୀୟଙ୍କ ସମ୍ମୁଖରେ ପିଜି ଡ଼ାକ୍ତରଙ୍କୁ କ୍ରୂର ଆଚରଣ କରୁଛନ୍ତି। ତେଣୁ ମାନସିକ ଭାବେ ପ୍ରଭାବିତ ହେଉଥିବା କହିଛନ୍ତି ଅଭିଯୋଗକାରୀ ଛାତ୍ରଛାତ୍ରୀ।