ଭୁବନେଶ୍ୱର, ୨୪/୦୭: ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ତାଙ୍କର ଆୟ ଠାରୁ ୧୪୮ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ପାଇଁ ଗିରଫ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଯେଉଁ ସମ୍ପତ୍ତି ଠାବ କରିଛନ୍ତିି, ତାକୁ ଦେଖି କାବା ହୋଇ ଯାଇଛନ୍ତି। ଚଢ଼ାଉ ବେଳେ ଅମାପ ସମ୍ପତ୍ତି ମିଳିଛି। ଗତ କାଲି ତାଙ୍କ ସମ୍ପତ୍ତି ଉପରେ ଅତର୍କିତ ଚଢ଼ାଉ କରିଥିଲା ଭିଜିଲାନ୍ସ।
ନିର୍ବାହୀ ଯନ୍ତ୍ରୀଙ୍କର ଭୁବନେଶ୍ୱରର ବଡଗଡ଼ର ବ୍ରିଟ କଲୋନୀରେ ପ୍ଲଟ୍ ନମ୍ବର RP-12 ରେ ପ୍ରାୟ ୪,୫୬୦ ବର୍ଗଫୁଟ ଆୟତନର ଏକ ତିନିମହଲା କୋଠା, ଗୁଣୁପୁରରେ ୨ଟି କୋଠା ମିଳିଛି। ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ତହସିଲର ମୌଜା ରଣପୁରଠାରେ ୧.୫୭ ଏକର ଜମିରେ ଏକ ଫାର୍ମହାଉସ, ରହିଛି। ସେହି ଫାର୍ମ ହାଉସରେ ପ୍ରାୟ ୮୩୩ ବର୍ଗଫୁଟର ଏକ ଦୁଇମହଲା ଘର, ୫୭୦ ବର୍ଗଫୁଟର ଆଉ ଏକ ଘର, ଏକ ମାଛ ଚାଷ ପୋଖରୀ ଏବଂ ବିଭିନ୍ନ ଫଳଗଛ ଥିବା ବଗିଚା, ୧୫ଟି କୁକୁଡ଼ା ଥିବା ଏକ କୁକୁଡ଼ା ଫାର୍ମ ରହିଛି। ବଡ଼ଗଡ଼ରେ ଦୁଇଟି ପ୍ଲଟ ଏବଂ ଖଣ୍ଡଗିରିରେ ଏକ ମୂଲ୍ୟବାନ ପ୍ଲଟର ସନ୍ଧାନ ମିଳିଛି। ୪୬୦ ଗ୍ରାମ ସୁନା, ୮୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଗୋଟିଏ ଚାରି ଚକିଆ ଯାନ ଓ ଗୋଟିଏ ଦୁଇ ଚକିଆ ଯାନ ରହିଛି। ଏକ ହଳ ହରିଣ ଶିଙ୍ଗ, ଦେଶୀ ବନ୍ଧୁକ ଠାବ କରିଥିଲା ଭିଜିଲାନ୍ସ। ହରିଣ ଶିଙ୍ଗ ମିଳିଥିବାରୁ ଯନ୍ତ୍ରୀଙ୍କ ନାଁରେ ବଣ୍ୟପ୍ରାଣୀ ଆକ୍ଟରେ ବି ମାମଲା ରୁଜୁ ହୋଇଛି।