ଦଶପଲ୍ଲା, ୨/୮: ଆବଶ୍ଯକ ଶିକ୍ଷକ ଓ କର୍ମଚାରୀ ତଥା ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ ବଳପୂର୍ବକ ୟୁଏଏସ୍ (ୟୁନିଫାଏଡ ଅଟୋମେଟିକ ସିଷ୍ଟମ୍) ବ୍ଯବସ୍ଥାକୁ ଲଦି ଦିଆଯାଇଥିବାରୁ ବ୍ଯବସ୍ଥାକୁ ସ୍ଥଗିତ ରଖିବା ନିମନ୍ତେ ଶିକ୍ଷକ ମାନଙ୍କ ପକ୍ଷରୁ ଦାବୀ କରାଯାଇଛି | ଯାହାର ପ୍ରତିବାଦରେ ମିଳିତ ଶିକ୍ଷକ-କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଶନିବାର ଦିନ ଦଶପଲ୍ଲାରେ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ୟୁଏଏସ୍ ବ୍ୟବସ୍ଥା ସ୍ଥଗିତ ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବିଇଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଶିକ୍ଷକ ସଂଘ ଗୁଡିକର କର୍ମକର୍ତ୍ତା ମାନଙ୍କ ଠାରୁ ଦାବିପତ୍ର ବିଇଓ ଭକ୍ତି ବିନୋଦ ଶଲ ଗ୍ରହଣ କରିଥିଲେ | ସୂଚନାଯୋଗ୍ୟ ଯେ, ଓଡିଶା ସ୍କୁଲ-କଲେଜ ଶିକ୍ଷକ-କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମଧ୍ଯ ବିଭିନ୍ନ ଦାବୀ ପୂରଣ ପାଇଁ ଦାବିପତ୍ର ମଧ୍ଯ ପ୍ରଦାନ କରାଯାଇଛି |
କାର୍ଯ୍ୟକ୍ରମରେ ଓଷ୍ଟା ବ୍ଲକ ସଭାପତି ଶରତ ଚନ୍ଦ୍ର ବେହେରା ଓ ସମ୍ପାଦକ ଅକୃର ପରିଡା, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ଓ ସମ୍ପାଦକ ଲକ୍ଷ୍ମୀଧର ସାହୁ, ଏଲିମେଣ୍ଟାରି ଶିକ୍ଷକ ସଂଘ ସଭାପତି ଅଶୋକ କୁମାର ବେହେରା, ଆରପିଏସଟି ସଂଘ ସଭାପତି ପବିତ୍ର କୁମାର ସାହୁ ଓ ସମ୍ପାଦକ ଯୋଗେଶ୍ଵର ସାହୁ, ଏନପିଏସ୍ ରାଜ୍ଯ ସଂଘ କର୍ମକର୍ତ୍ତା ଦିଲ୍ଲୀପ କୁମାର ନାୟକ, ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ତ୍ରିନାଥ ସାହୁଙ୍କ ସମେତ ବିଭିନ୍ନ ଶିକ୍ଷକ ସଂଗଠନ କର୍ମକର୍ତ୍ତା ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ – ଶିକ୍ଷୟତ୍ରୀ ପ୍ରମୁଖ ସାମିଲ୍ ହୋଇଥିଲେ।