ଭରତପୁରରେ ବୋମାମାଡ଼ ଘଟଣା; ଅପରାଧ ଜରିଆରେ ଶାସନ କଳକୁ ନିୟନ୍ତ୍ରଣ କରୁଛି ବିଜେପି: ବିଜେଡି

ସରକାରୀ ଜମି ହଡ଼ପ ପାଇଁ ହିଂସା ଘଟାଇଛନ୍ତି ବିଜେପି ମଣ୍ଡଳ ସଭାପତି

ଥାନାରେ ମହିଳା ପୋଲିସ୍ ଅଧିକାରୀ ବିଜେପି ନେତାଙ୍କ ଦ୍ୱାରା ଅସଦାଚରଣର ଶିକାର

ଭୁବନେଶ୍ୱର, ୧୬/୮: ପ୍ରଶାସନିକ କଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଶାସକ ବିଜେପି ଅପରାଧକୁ ମାଧ୍ୟମ କରିଛି । ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ମୂଲ୍ୟବାନ ସରକାରୀ ଜମିକୁ ହଡ଼ପ କରିବା ପାଇଁ ବିଜେପି ସଂଗଠିତ ହିଂସାର ଆଶ୍ରୟ ନେଉଥିବା ବିଜୁ ଜନତା ଦଳ କହିଛି ।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, କିଛିଦିନ ତଳେ ଭରତପୁର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ବୋମାମାଡ଼ ଘଟଣାରେ ଶାସକ ବିଜେପି ଦଳର ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତି ରଞ୍ଜନ ଦାସ ଗିରଫ ହୋଇଛନ୍ତି । ଘଟଣାଦିନ ସଂଘବଦ୍ଧ ଭାବେ ପ୍ରାୟ ୨୦ ଜଣ ଯୁବକ ବୋମାମାଡ଼ କରି ୪ରୁ ୫ ଗାଡ଼ି ପୋଡ଼ି ଦେଇଥିଲେ । ଦୀର୍ଘଦିନ ଧରି ଭରତପୁର ଥାନା ଅଞ୍ଚଳରେ ଥିବା ମୂଲ୍ୟବାନ ସରକାରୀ ଜମି ଜବରଦଖଲ କରିବାରେ ଶାସକ ବିଜେପି ଦଳର ସମ୍ପୃକ୍ତି ନେଇ ଅଭିଯୋଗ ହୋଇଆସୁଛି । ସରକାରୀ ପ୍ରୋତ୍ସାହନରେ ଆଇନକୁ ହାତକୁ ନେଇ ଶାସକ ଦଳର ଆଗଧାଡ଼ିର ନେତାମାନେ ସରକାରୀ ସମ୍ପତ୍ତିକୁ ହଡ଼ପ କରିବା କ’ଣ ସୁଶାସନର ନମୂନା କି ?

ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ, ସ୍ମୃତି ରଞ୍ଜନ ଦାସ ସ୍ଥାନୀୟ ସାଂସଦ ଓ ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ, ପୋଲିସ୍ ଓ ପ୍ରଶାସନର ଭୟ ଦେଖାଇ ରାଜଧାନୀର ଛାତି ଉପରେ ଏଭଳି ହିଂସା ଘଟାଇବା ପାଇଁ ସାହସ କରିପାରିଛନ୍ତି । କ୍ଷମତାକୁ ଆସିଲା ପରେ ସାରା ରାଜ୍ୟରେ ବିଜେପି ନେତାମାନଙ୍କ ଏଭଳି ଆଚରଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମହିଳା ପୋଲିସ୍ ଅଧିକାରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାମାନେ ଦୁର୍ବ୍ୟବହାର କରିବାରେ ପଛାଉ ନାହାନ୍ତି । ସାରା ରାଜ୍ୟରେ ବାଲି, ମୋରମ ଭଳି ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଚାଲାଣକୁ ବିଜେପିର ପୃଷ୍ଠପୋଷକତାରେ ଅପରାଧୀମାନେ ନିୟନ୍ତ୍ରଣ କରୁଛନ୍ତି । ଏହାଦ୍ୱାରା ସରକାରୀ ରାଜସ୍ୱ କମୁଥିବା ବେଳେ, ବିଜେପି ନେତାମାନଙ୍କ ପକେଟ ଗରମ ହେଉଛି । ନୀତି ନୈତିକାର ପାଠ ପଢ଼ାଉଥିବା ବିଜେପି ନେତାମାନେ କ୍ଷମତାର ଅପବ୍ୟବହାର କରି ହିଂସା ମାଧ୍ୟମରେ ସରକାରୀ ସମ୍ପତ୍ତି ହଡ଼ପ କରିବା ଦୁର୍ଭାଗ୍ୟଜନକ । ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ, ଏ ଘଟଣାରେ ନିରପେକ୍ଷତାର ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ।