ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା
ପ୍ରଥମ ଦିନରେ ଲୋକଙ୍କ ମତାମତ ନେଲେ ମୁଖ୍ୟମନ୍ତ୍ରୀ
ଜାରି ହେଲା ଟୋଲ ଫ୍ରି ନମ୍ବର
ଭୁବନେଶ୍ୱର, ୨୬/୮: ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବ୍ୟବସ୍ଥାରେ ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ ଏବଂ ସାଧାରଣ ଲୋକଙ୍କୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ। ମୋବାଇଲ ଆପ୍ ଜରିଆରେ ନିଆଯିବ ଲୋକଙ୍କ ମତାମତ। ନାଗରିକ-ସରକାରଙ୍କ ମଧ୍ୟରେ ସିଧାସଳଖ ସ୍ଥାପନ ହେବ ସମ୍ପର୍କ। ଏଥିପାଇଁ ଏକ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର ୧୪୪୭୧ ଜାରି ହୋଇଛି।
ଆଜି ଶୁଭାରମ୍ଭର ପ୍ରଥମ ଦିନରେ ଲୋକଙ୍କୁ ଫୋନ୍ କରି ବିଭିନ୍ନ ଯୋଜନା ବାବଦରେ ମତାମତ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ତୋଦୟ ଗୃହ ଯୋଜନାରେ ଟଙ୍କା ମିଳିଲା କି ନାହିଁ ମତ ନେଲେ। ଲୋକଙ୍କ ପ୍ରତି ଅଫିସରଙ୍କ ବ୍ୟବହାର କିପରି ରହୁଛିସେ ବିଷୟରେ ମଧ୍ୟ ମତ ନେଲେ ମୁଖ୍ୟମନ୍ତ୍ରୀ।
କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଅଭିଭାଷଣ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଶାସନରେ ସ୍ବଚ୍ଛତା ଓ ପାରଦର୍ଶିତାରେ ଉନ୍ନତି ଆସିବ। ସରକାର ଓ ଲୋକଙ୍କ ଭିତରେ ଦୂରତା କମିବ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ବି ଲୋକଙ୍କ ମତାମତ ନେବେ। ଲୋକଙ୍କ ମତାମତକୁ ଆଧାର କରି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି, “ଲୋକଙ୍କ ସରକାରରେ ଲୋକଙ୍କ ମତାମତକୁ ମିଳୁଛି ପ୍ରାଥମିକତା। ଲୋକାଭିମୁଖୀ ହେଉଛି ‘ସରକାରୀ ସେବା’। ଜନତାଙ୍କ ମତାମତ ଆଧାରରେ ସେବା ପ୍ରଦାନ ଲକ୍ଷ୍ୟରେ ‘ଆମ ଶାସନ’ ପୋର୍ଟାଲର ଶୁଭାରମ୍ଭ ହୋଇଛି। ସରକାରୀ ବ୍ୟବସ୍ଥା ଏବଂ ହିତାଧିକାରୀଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରି ଉତ୍ତମ ଜନସେବା ସୁନିଶ୍ଚିତ କରିବା ସହ ଗଣତନ୍ତ୍ରକୁ ଆହୁରି ବଳିଷ୍ଠ କରିବା ଉଦ୍ଦେଶ୍ୟରେ ଏହି ପୋର୍ଟାଲ ସମର୍ପିତ।”